ଆଜିଠୁ ବିଧାୟକମାନଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଜି ୧୭ ତମ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ‘ ଜ୍ଞାନ ସଂସ୍କାର ‘ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରନ୍ ରିଜିଜୁ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ ଏବଂ ବିଧାୟକ ଓ ବିଧାୟିକା ମାନେ ଯୋଗଦେଇଛନ୍ତି । ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ଏହି ‘ ଜ୍ଞାନ ସଂସ୍କାର’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ଅପସାରଣ କରାଯାଇଛି। ଏହାସହିତ ପୂନର୍ବାର ଏକ ନୂଆ ଅତିଥି ତାଲିକା ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ସଚିିବାଳୟ ପକ୍ଷରୁ ଜାରି ସାନି କାର୍ଯ୍ୟସୂଚୀ ଅନୁଯାୟୀ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାୟକମାନଙ୍କ ପାଇଁ ଏହି ‘ ଜ୍ଞାନ ସଂସ୍କାର ‘ କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମକୁ ଆଜି ଶନିବାର ସକାଳ ୧୦ ଟା ୪୫ରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କଲେ । ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ବାଚସ୍ପତି ସୂରମା ପାଢ଼ୀ ଓ ତାଙ୍କ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ ଅଭିଭାଷଣ ରଖିବେ। ଏହାପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ସ୍ଥିର ରହିଛି। ଏହାପରେ ୧୨ ଟା ୫ରେ ବରିଷ୍ଠ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁ ବିଧାୟକମାନଙ୍କୁ ବିଧାନସଭାର ବିଭିନ୍ନ ନୀତି ନିୟମ ସମ୍ପର୍କରେ ସୂଚନା ଦେବା ସହ ଅପରାହ୍ଣ ୨ ଟାରେ ବିଧାୟକମାନଙ୍କୁ ‘ନେଭା’ ସମ୍ପର୍କରେ ସୂଚନା ଦିଆଯିବ। ପରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ବଜେଟ ସମ୍ପର୍କରେ ବିଧାୟକମାନଙ୍କୁ ତାଲିମ ଦେବା ସହ କେନ୍ଦ୍ରମନ୍ତ୍ରୀ ଜୁଏଲେ ଓରାମ ବିଧାନସଭା ପ୍ରଶ୍ନତ୍ତୋର ଆଦି ସମ୍ପର୍କରେ ବିଧାୟକମାନଙ୍କ ଜ୍ଞାନବର୍ଦ୍ଧନ କରିବେ। ସେହିପରି ଦ୍ୱିତୀୟ ଦିନରେ ସାଂସଦ ଭର୍ତ୍ତୃହରୀ ମହତାବ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପ୍ରମୁଖ ବିଧାୟକମାନଙ୍କୁ ଦିଗଦର୍ଶନ ଦେବେ। ଶେଷରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମାପନ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସୂଚନା ଥାଉ କି ଏହା ପୂର୍ବରୁ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବା ସହ ଜେପି ନଡ୍ଡା ସମାପନ ଭାଷଣ ରଖିବେ ବୋଲି ସ୍ଥିର ହୋଇଥିଲା ବୋଲି ଖବର ପ୍ରସାରଣ ହୋଇଥିଲା । 

ରିପୋର୍ଟ : ରଜତ ମହାପାତ୍ର