



ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଶାରଳା ପରିବାର ର ମିଳିତ ଆନୁକୂଲ୍ୟରେ ଆମ୍ବାଗାନ ଛକ ଠାରେ ସଡ଼କ ସୁରକ୍ଷା ଶିବିର ଆୟୋଜିତ ହୋଇଯାଇଛି। ପରିବହନ ବିଭାଗର ଅଧିକାରୀ ମାନସ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତା ଓ ଶାରଳା ପରିବାର ର ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ମୁଖ୍ୟ ଅତିଥି ଓ ଶାରଳା ପରିବାର ର ସଭାପତି ପ୍ରଭାକିଶୋର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ଥିମ୍ ସଡକ ସୁରକ୍ଷା ପରିବାରର ରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ସ୍ବାଇଁ ତାଙ୍କ ବକ୍ତବ୍ୟରେ ପ୍ଲାଣ୍ଟ ଭିତରର ନିୟମ, ସଡକର ନିୟମ ସହ ସଡକ ସୁରକ୍ଷା ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସ୍ବାଇଁ ଶାରଳା ପରିବାର ର କାର୍ଯ୍ୟକ୍ରମର ପୃଷ୍ଠଭୂମି ସହ ସଡକ ନିୟମାବଳୀ କୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷତା କରୁଥିବା ଶ୍ରୀ ପୃଷ୍ଟି ତାଙ୍କ ବକ୍ତବ୍ୟରେ କହିଲେ ଯେ ଜାନୁଆରୀ ମାସର ୧ ରୁ ୭ ତାରିଖ ସଡକ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯାଉଛି। ତେଣୁ ସୁରକ୍ଷା ଉପକରଣ ଯଥା ହେଲମେଟ ପରିଧାନ, ସିଟ ବେଲ୍ଟ ବାନ୍ଧିବା, ମଦ୍ୟପାନ କରି ଦୃତ ଗତିରେ ଗାଡି ନଚଳାଇବା, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ସରକାରଙ୍କ ତରଫରୁ ପୁରସ୍କୃତ ହେବା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ସେଠୀ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଏକ ମଟରସାଇକେଲ ସଚେତନତା ରାଲି ଆମ୍ବାଗାନ ଛକରୁ ବାହାରି ବିଶ୍ରା ଛକ , ପାନ୍ଥନିବାସ ଦେଇ ପୁଣି ଆମ୍ବାଗାନ ଛକକୁ ଫେରିଥିଲା। ଏହି ରାଲିକୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ଗଣ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ କୈଳାସ ନାୟକ,ମଳୟ ନାୟକ, ସଂଘମିତ୍ରା ସୂତାର,କବିନ୍ଦ୍ର ସ୍ବାଇଁ, ଭବାନୀ ପ୍ରସାଦ ଦାସ୍, ରାଧାଶ୍ୟାମ ନାୟକ, ବାଇଧର ପ୍ରଧାନ, କ୍ଷୀରୋଦ ଚନ୍ଦ୍ର ବାରିକ, ନରେନ୍ଦ୍ର ବେହେରା, କିଶୋର ନାୟକ, ରାଜେଶ୍ବର ନାୟକ, ପ୍ରଫୁଲ୍ଲ ଭୋଇ, ପ୍ରଫୁଲ୍ଲ ପତି ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର