ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବୟସ ମାତ୍ର ଆଠ ବର୍ଷ । କିନ୍ତୁ ମୁହଁରେ ଅନର୍ଗଳ ବେଦ ମନ୍ତ୍ର, ଦେବ ମନ୍ତ୍ର ସହିତ ଗାୟତ୍ରୀ ମନ୍ତ୍ର, ମହା ମୃତୁଞ୍ଜୟ ମନ୍ତ୍ର, ଗୀତା, ଭାଗବତ ଓ ନବବିଗ୍ରହଙ୍କ ସ୍ତୋତ୍ର । ଖେଳ କୁଦ, ଅଝଟ ବୟସରେ ପାଠ ପଢା ସହିତ ଦେବ ପୂଜା, ଚଣ୍ଡୀ ପାଠ କରି ସମସ୍ତଙ୍କ ପ୍ରିୟଭାଜନ ସହିତ ଚର୍ଚ୍ଚାରେ ରହିଛନ୍ତି ଏହି ବିସ୍ମୟ ବାଳକ । ଆଉ ଭିବିଷ୍ୟତରେ ଜଣେ ପ୍ରବଚକ ହେବାକୁ ଲକ୍ଷ ରଖିଛନ୍ତି । ତେବେ ତାଙ୍କର ଏହି କୃତିତ୍ୱ ନିଜେ ନ ଦେଖିଲେ କିମ୍ବା ନ ଶୁଣିଲେ ସହଜରେ ବିଶ୍ୱାସ କରି ହେବନାହିଁ । ଏହି କୁନି ବାଳକ ଜଣକ ହେଉଛନ୍ତି ଜୀବନ କୃଷ୍ଣ ପଣ୍ଡା, ବୟସ ମାତ୍ର ଆଠ ବର୍ଷ । ଯିଏକି ବାଲେଶ୍ୱଏ ଜିଲ୍ଲା, ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗ୍ରାମର ଖିତିଶ ପଣ୍ଡା ଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ଜୀବନ ନିଜ ଗାଁଆ ବେଗୁନିଆ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ର ଅଟନ୍ତି । ତେବେ ସେ ପାଠ ପଢା ସହିତ, ଦେବ ପୂଜା, ବେଦ ମନ୍ତ୍ର ପାଠରେ ସିଦ୍ଧି ଅର୍ଜନ କରିଛନ୍ତି । ଆଉ ଏହାକୁ ପ୍ରେରଣା ଯୋଗାଇ ଛନ୍ତି ବାପା କ୍ଷୀତିଶ । ଖିତିଶ କହିବା ଅନୁଯାୟୀ ସେ ପ୍ରତ୍ୟେକ ଦିନ ଭୋରରୁ ଉଠି ନିତ୍ୟ କର୍ମ ସାରି ଠାକୁର ପୂଜା ପାଇଁ, ଫୁଲ, ବେଲ ପତ୍ର, ତୁଳସୀ ପତ୍ର ତୋଳି ଦେବ ପୂଜା ଓ ମନ୍ତ୍ର ପାଠ କରିଥାନ୍ତି । ପୁଅ ଜୀବନ ଭୋରରୁ ଉଠି ବାପାଙ୍କ ସହିତ ମିଶି ଫୁଲ ତୋଳିବାରେ ସାହାଯ୍ୟ କରିବା ସହିତ, ପୂଜା ନିକଟରେ ବସି, ଝୁଣା, ଧୂପ, ଦୀପ, ଚନ୍ଦନ ଲଗାଇବା, ବାପାଙ୍କ ସହିତ ଗୁଣୁଗୁଣୁ ହୋଇ ମନ୍ତ୍ର ଉଚ୍ଚାରଣ କରିବା ଦେଖି ବାପା ପୁଅକୁ ପ୍ରେରଣା ଯୋଗାଇ ଥିଲେ । ତେବେ ଜୀଵନ, ସମୟ କ୍ରମେ ନିଜେ ଧୁତି ପିନ୍ଧିବା, ତିଳକ ଚନ୍ଦନ ନିଜେ ଲଗାଇବା ସହିତ ବିଭିନ୍ନ ବେଦ ମନ୍ତ୍ର, ଦେବ ମନ୍ତ୍ର, ପୂଜା ପଦ୍ଧତି ସାଙ୍ଗକୁ ଗୀତାପାଠ, ଗାୟତ୍ରୀ ମନ୍ତ୍ର, ମହା ମୃତୁଞ୍ଜୟ ମନ୍ତ୍ର, ଚଣ୍ଡୀ ପାଠ, ଦଶାବତାର ସ୍ତୋତ୍ର, ଦେବୀ ଦୁର୍ଗା ସ୍ତୋତ୍ର, ପୁରୁଷ ସୁକ୍ତ ସ୍ତୋତ୍ର, ନବ ବିଗ୍ରହ ସ୍ତୋତ୍ର, ଶିବ, ବିଷ୍ଣୁ, ଗଣେଷ, ଲକ୍ଷ୍ମୀ, ସରସ୍ୱତୀଙ୍କ ଧ୍ୟାନ, ସୂର୍ଯ୍ୟ ଅର୍ଘ୍ୟର ଜପ ମନ୍ତ୍ର ନିର୍ଭୁଲ ଭାବେ ଗାନ କରିବା ସହିତ ପ୍ରବଚନ ମଧ୍ୟ ଦେଇ, ବେଶ ଚର୍ଚାରେ ଅଛନ୍ତି । ତେବେ କେବଳ ମନ୍ତ୍ର ପାଠ, ପ୍ରବଚନ, ପୂଜା ବିଧି ରେ ନୁହଁ, ପାଠ ପଢା ସହିତ ହାରମୁନିୟମ, ଖେଳ, କୁଦ, ଚିତ୍ର ଅଙ୍କନରେ ମଧ୍ୟ ତାଙ୍କର ବେଶ ରୁଚି ରହିଛି । ତେବେ ଜୀବନ କୃଷ୍ଣ ଭବିଷ୍ୟତରେ ଜଣେ ଦକ୍ଷ ପ୍ରବଚକ ହେବାକୁ ମନସ୍ଥ ରଖିଛନ୍ତି । ବିସ୍ମୟ ଓ ପ୍ରତିଭାବାନ ବାଳକ, ଜୀବନଙ୍କ ସଂସ୍କାର ଓ ସଂସ୍କୃତି ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ, ନିଜ ପରିବାର, ସାଙ୍ଗ ସାଥି, ଜନ୍ମ ମାଟି ବେଗୁନିଆ, ସମେତ ପୁରା ବସ୍ତା ଓ ବାଲେଶ୍ୱର ଅଞ୍ଚଳ ଗର୍ବ ଅନୁଭବ କରୁଛି । ସେ ଗରିବ, ମଧ୍ୟବିତ୍ତ ପରିବାର ହୋଇ ଥିବାରୁ ସରକାରୀ ସ୍ତରରେ ଶିକ୍ଷା, ଦୀକ୍ଷା, ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା