ମନର ଉଦ୍ବେଗ / ପ୍ରକୋପ ଓ ବିବେକର ଶୀଥିଳତା ମଧ୍ୟରେ ସନ୍ନିବେଶିତ
ମଣିଷ ଆତ୍ମାର ସତ୍ୟତା ଉପରେ ଅନୁସନ୍ଧିତ୍ସୁ ମଣିଷ ଅଦ୍ୟାବଧି ସନ୍ଦେହରେ !
କାରଣ କ’ଣ ?
କୁହାଯାଏ ଆତ୍ମା ଶାଶ୍ୱତ, ଚିରନ୍ତନ, ଅମର । ମନୁଷ୍ୟର କର୍ମ, ଧର୍ମରେ ଆଧାରିତ ଆତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀର ମଧ୍ୟରେ ପ୍ରବେଶ କରି ନୂତନ ଜୀବନ ପ୍ରବାହ କରିବା ପ୍ରାବନ୍ଧ ରହିଥାଏ ଯାହା ନିରାକାରଙ୍କ ଇଚ୍ଛାଧୀନ । ନିରାକାର ଏକ ବୃହତ୍ତର (ପରମାତ୍ମା) ଆତ୍ମା ଯିଏ ନିର୍ବିକାର । ଅର୍ଥାତ କୌଣସି ମନ୍ଦ ଉଦ୍ଦେଶ୍ୟ ତଥା ପକ୍ଷପାତିତାର ପୃଷ୍ଠପୋଷକ ହୋଇନଥା’ନ୍ତି ନିରାକାର ଯାହାଙ୍କୁ ଆମେ ଭଗବାନ ଭାବରେ ଜାଣୁ । ସେହି ନିରାକାର ଭଗବାନଙ୍କ ପ୍ରେମ ବତ୍ସଳ ସନ୍ତାନ ସ୍ୱରୂପ ଜନ୍ମ ମଣିଷର ସମସ୍ତ କାର୍ଯ୍ୟ ତଥା ପ୍ରେରଣାର ବାର୍ତ୍ତାବହ ଭଗବାନ କେବେ କାହା ପ୍ରତି ପାତର ଅନ୍ତର ନୀତି ପୋଷଣ କରିନଥା’ନ୍ତି ବୋଲି ସମସ୍ତଙ୍କ ବିଶ୍ୱାସ । କି’ନ୍ତୁ ନିଜ ଆତ୍ମା ସହିତ ପରିଚୟ ବିହୀନ ମଣିଷ ସେହି ବୃହତାତ୍ମାର ପରିଚୟ ପାଇବା କେତେଦୂର ସମ୍ଭବ ? ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ସାଧାରଣ ଲୋକଙ୍କ ଭାବାବେଗ ଉପରେ ଯଥେଷ୍ଟ କୌତୁହଳ ସୃଷ୍ଟି ହୁଏ ଯେତେବେଳେ ସାଧାରଣ ଅଜ୍ଞାନ ଭଗବାନଙ୍କ ଉପରେ ତର୍ଜମା କରିଥା\’ନ୍ତି । କୌଣସିମତେ ଗଳା ବାଟରେ କମ୍ ସମୟରେ ସମ୍ପୂର୍ଣ୍ଣତା ଅଧିଗ୍ରହଣ କରିବା ପ୍ରୟାସ ଜନିତ ମଣିଷ ମନର ଦୌରାତ୍ମ୍ୟ ସହଜରେ ବୁଝିବା ସମ୍ଭବ ନୁହେଁ ! ପ୍ରତ୍ୟେକ ମଣିଷ ବାଲ୍ୟ କାଳରୁ ବିଭିନ୍ନ ପ୍ରେତାତ୍ମା, ପରମାତ୍ମା ସହିତ ଅନେକ ଅଲୌକିକ ବିଷୟ ଗୁଡିଏ ଉପରେ ଆଧାରିତ ଗଳ୍ପ ହେଉକି ଆଲେଖ୍ୟ କିମ୍ବା ପ୍ରବଚନ ପଢି, ଶୁଣି ସଂସାରର ସମସ୍ତ ପାର୍ଥିବ ବସ୍ତୁ ଗୁଡିକୁ ନେଇ ଜୀବନ ପ୍ରବାହ କରୁଥିଲେ ମଧ୍ୟ ଅଲୌକିକତାକୁ ଜୀବନ ଶେଷ ପର୍ଯ୍ୟନ୍ତ ପ୍ରକାଣ୍ଡ ଦୃଢତାର ସହିତ ଜାବୁଡି ଧରିଥା’ନ୍ତି । କାରଣ ଅଲୌକିକ କେବେ ଦେଖି, ଆଘ୍ରାଣ କରି କିମ୍ବା ଅନୁଭବ କରିବା ସୁଯୋଗ ମିଳିନଥିଲେ ମଧ୍ୟ ତା’ର ମାନସ ମନ୍ଥନ ଜନିତ ଉପସ୍ଥିତ ସମୟର ଅନୁଭୁତିରେ ଯେଉଁ ଆନନ୍ଦ ମିଳିଥାଏ ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ । ସେହି ଆନନ୍ଦ ଉପଭୋଗ କରିବା ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ ଏବଂ କୌଣସି ପ୍ରତିବନ୍ଧକ ରହିତ ହୋଇଥିବା ହେତୁ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସେହି ଆନନ୍ଦରେ ନିମଜ୍ଜିତ ଶିକ୍ଷିତ-ଅଶିକ୍ଷିତ, ଧନୀ-ଗରିବ, ଉଚ୍ଚ-ନୀଚ୍ଚ ନିର୍ବିଶେଷରେ ସମସ୍ତେ ସମ୍ପୃକ୍ତ ଚାରଣ ଭୂମିରେ ଉପନୀତ । ସର୍ବେ ସମାନ ଦୃଷ୍ଟିରେ ପରିଚାଳିତ କୌଣସି ସାମ୍ପ୍ରଦାୟୀକ ଗୋଷ୍ଠିରେ ସଂଶ୍ଲିଷ୍ଟ ସମସ୍ତ ସଦସ୍ୟ ଗୋଟିଏ ପରିବାର ସଦୃଶ୍ୟ ଦେଖିବାକୁ ମିଳନ୍ତି । ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ସମ୍ମିଳନୀ କ୍ଷେତ୍ର ବହିର୍ଭୁତ ପୁନଃ ସବୁ ମଣିଷର ଷଡ଼ରିପୁ ଗୁଡିକ ସତେଜ ହୋଇ ଉଠିଥାଏ ଯାହାର ପରିଣାମ ସ୍ୱରୂପ ସେମାନଙ୍କ ପ୍ରକାଶ ଜଣେ ସାଧାରଣ ମଣିଷ ଭଳି ହୋଇଥାଏ । ଅର୍ଥାତ ଜଣେ ସାଧାରଣ ମଣିଷ ତଥା କଥିତ ଗୁରୁଙ୍କ ପ୍ରବଚନ, କରୁଣାରୁ କୌଣସି ମତେ ନିଜ ଜୀବନ କାଳ ମଧ୍ୟରେ ସେହି ଅଲୌକିକ ନିରାକାରଙ୍କ ବାସ୍ତବ ସତ୍ତା ନପାଇ ପାରିଲେ ମଧ୍ୟ ପରଲୋକରେ ପ୍ରାପ୍ତି ହେବା ଲକ୍ଷ ରଖି ଯେଉଁ ଆନନ୍ଦ ପାଇଥାଏ ତାହା ସର୍ବଗ୍ରାହୀ ହେଉଥିବା ଆମେ ସମସ୍ତେ ଜାଣୁ । ଆତ୍ମା ଠାରୁ ପରମାତ୍ମା ପର୍ଯ୍ୟନ୍ତ ତ୍ରିସ୍ତରୀୟ ବିସ୍ଲେଷଣାତ୍ମକ ଅନୁଶୀଳନୀ ଭାରତୀୟ ସାଂସ୍କୃତିକ, ଧାର୍ମିକ ବିଚାରରେ ବର୍ଣ୍ଣିତ । ମଣିଷ ଜୀବିତ ରହିଥିବା ସମୟରେ ତା’ ଶରୀର ମଧ୍ୟରେ ଆତ୍ମା ସମ୍ପୃକ୍ତ ମଣିଷର ଆଚରଣ, ଭାବଧାରା, ସଂଚିତ ସାମାଜିକ ଚରିତ୍ର ଏବଂ କାର୍ଯ୍ୟକଳାପ ଗୁଡିକ ଉପରେ କୌଣସି ପ୍ରତ୍ୟକ୍ଷ ପ୍ରଭାବ ନପକାଇ କେବଳ ସେଗୁଡିକୁ ସଂରକ୍ଷିତ କରିଥାଏ ଯାହା ତାକୁ ପର ଜନ୍ମରେ ପୁନଃ ପ୍ରାପ୍ତି ହୋଇଥାଏ ବୋଲି ଅନୁଭବ ସମସ୍ତଙ୍କର ରହିଛି । ସେହି ବାର୍ତ୍ତାବହ ସଂରକ୍ଷଣକାରୀ ଆତ୍ମା ମଧ୍ୟରେ ଜଣେ ମଣିଷର ବାଲ୍ୟରୁ ମୃତ୍ୟୁ ପର୍ଯ୍ୟନ୍ତ ସଂରକ୍ଷିତ ସମସ୍ତ କୃତ କାର୍ଯ୍ୟଧାରାକୁ ବିସ୍ଲେଷଣ କରି ପାପ-ପୁଣ୍ୟର ହିସାବ ଦେଖିବା ପରବର୍ତ୍ତୀ ନିର୍ଣ୍ଣାୟକ ନିଆଯାଇଥାଏ ପରମାତ୍ମାଙ୍କ ଦ୍ୱାରା ବୋଲି ଆମର ବିଶ୍ୱାସ । ଅର୍ଥାତ ଆତ୍ମାର ପରମାତ୍ମା ସହିତ ସାକ୍ଷାତ ପୂର୍ବବର୍ତ୍ତୀ ଗୋଟିଏ ମଧ୍ୟ ସୋପାନରେ ମଣିଷର ଉପସ୍ଥିତ କାର୍ଯ୍ୟାବଳୀର ସମୀକ୍ଷା ପୂର୍ବକ ନିର୍ଣ୍ଣାୟକ ହେତୁ ସେହି କାର୍ଯ୍ୟ ସମ୍ପାଦନ ନହେବା ପର୍ଯ୍ୟନ୍ତ ତାକୁ ପ୍ରେତାତ୍ମା ରୂପରେ ରହିବାକୁ ପଡିଥାଏ ବୋଲି କିମ୍ବଦନ୍ତୀ ସର୍ବ ଗ୍ରହୀତ ହୋଇଥାଏ । ହେଲେ ଆତ୍ମାର ପ୍ରେତାତ୍ମା ଅବସ୍ଥାରେ ମଧ୍ୟ ଅନେକ କାର୍ଯ୍ୟକଳାପ ବର୍ଣ୍ଣନା ସମଗ୍ର ମଣିଷ ସମାଜର ଏକ ପୁରାତନ ଗ୍ରହଣୀୟତା ଦେଖିବାକୁ ମିଳେ ସର୍ବ ବିଶ୍ୱବ୍ୟାପୀ । ପ୍ରେତାତ୍ମା ଉପରେ ଆଧାରିତ ଅନେକ ଆଲେଖ୍ୟ, କାହାଣୀ କେତେକ ଲିଖିତ ପୁସ୍ତକ, ଚଳଚିତ୍ର ମାଧ୍ୟମରେ ମଧ୍ୟ ଦେଖିବାକୁ ମିଳେ ସର୍ବତ୍ର । ହେଲେ ପ୍ରେତାତ୍ମା ସହିତ ସଂୟୋଗିକ ସମ୍ପର୍କ ରଖିପାରୁଥିବା ଦାବୀ କରି କେତେକ ମଣିଷ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିଗ୍ରହଣ ପୂର୍ବକ ସାଧାରଣ ଲୋକଙ୍କୁ ତାହାର ପ୍ରଭାବ, ପ୍ରକୋପ ବିଷୟରେ ଆଶାତୀତ ବର୍ଣ୍ଣନା କରିଥା’ନ୍ତି ଯାହା ସବୁ ଅତ୍ୟନ୍ତ ଭୟାବହ ଭାବନା ସୃଷ୍ଟି କରେ ସାଧାରଣ ଲୋକଙ୍କ ମନରେ । ପ୍ରେତାତ୍ମା କୌଣସି ମାନବ ଆତ୍ମାର ପରବର୍ତ୍ତୀ ପର୍ଯ୍ୟାୟ ହୋଇଥିବା ହେତୁ ସମ୍ପୃକ୍ତ ମଣିଷର ଚରିତ୍ର, ବିଚାରକୁ (ଆଜି ସମୟର ସବୁ ମଣିଷଙ୍କ ବିଚାରଧାରା ଯାହା ସବୁ ଆମେ ଜାଣୁ) ନେଇ ତାହାର ପ୍ରେତାତ୍ମାର କାର୍ଯ୍ୟ କଳାପ ହୋଇଥିବା ଅନୁମାନ କରି ଜୀବିତ ମଣିଷ ଭୟଭୀତ ହୋଇଥା’ନ୍ତି । କି’ନ୍ତୁ ଏମିତି କେତେକ ମଣିଷ ମଧ୍ୟ ଦେଖିବାକୁ ମିଳନ୍ତି ଯେଉଁମାନେ ପରମାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ କରି ପାରୁଥିବା ଦାବୀ କରି ସାଧାରଣ ଲୋକଙ୍କୁ ବିଭିନ୍ନ ଯୁକ୍ତି ବାଢୁଥିବା ବେଳେ ସମ୍ପୃକ୍ତ ବିଷୟ ଉପରେ ଆଲୋଚନାରେ ଭାବବିହ୍ୱଳ ନିର୍ବୋଧ ଅଜ୍ଞାନ ସ୍ୱର୍ଗାରୋହଣ କରିଥା’ନ୍ତି ସେହି ସମୟ ପାଇଁ । ପରବର୍ତ୍ତୀ ସମୟରେ ସେଗୁଡିକୁ ବିଶ୍ଳେଷଣ କରି ଅତ୍ୟନ୍ତ ତୃପ୍ତି ହୋଇ ତାହାର ପୁନଃ ପ୍ରଚାରରେ ମଧ୍ୟ ଲାଗି ପଡନ୍ତି । ପରମାତ୍ମାଙ୍କ ମାନବ ସମାଜ ପାଇଁ କୌଣସି ମନ୍ଦ ବିଚାର ନଥାଇ ବରଂ ସମସ୍ତେ ତାଙ୍କର ପ୍ରେମର ସନ୍ତାନ ବୋଲି ବର୍ଣ୍ଣିତ ସବୁ ଧର୍ମର ଲୋକେ ଏକ ଦିଗମୁଖୀ ହୋଇ ରହିଥବା ସ୍ୱୀକାର୍ଯ୍ୟ । ହେଲେ ସେହି ପରମାତ୍ମାଙ୍କ ଚର୍ଚ୍ଚା, ଜ୍ଞାନ ବାଣ୍ଟୁଥିବା ମଣିଷ ଗୁଡିକ ପରମାତ୍ମାଙ୍କ ଗୁଣଗାନ କରି କରି ନିଜକୁ ଭଗବାନଙ୍କ ଦ୍ୱାରା ପ୍ରେରିତ ପରିବ୍ରାଜକ, ଦୂତ କିମ୍ବା ତାଙ୍କର ଅଂଶବିଶେଷ ଭାବେ ଆବିର୍ଭୁତ ବୋଲି ବର୍ଣ୍ଣନା କରିଥା’ନ୍ତି ଯାହା ତାଙ୍କ ସହିତ ରହିଥିବା ଗୋଷ୍ଠୀର ମଣିଷଙ୍କ ଦ୍ୱାରା ଅତି ଗ୍ରହଣୀୟ ହେଉଥିବା ବେଳେ ସେମାନେ ମଧ୍ୟ ସହି ମହାନ ଆତ୍ମା ସହିତ ସମ୍ପୃକ୍ତ ବିଶିଷ୍ଠ ବ୍ୟକ୍ତିଙ୍କ ଗୁଣ, ବାଣୀକୁ ବ୍ୟାପ୍ତ ପ୍ରଚାର, ପ୍ରସାରରେ ଲାଗିପଡନ୍ତି । ଫଳ ସ୍ୱରୂପ ଆଜି ସମୟରେ ଅନେକ ଧାର୍ମିକ ସମ୍ପ୍ରଦାୟ ଦେଖିବାକୁ ମିଳୁଛି ବିଶ୍ୱବ୍ୟାପୀ । ଭାରତରେ ସବୁଠାରୁ ଅଧିକ ଭିନ୍ନ ଭିନ୍ନ ସମ୍ପ୍ରଦାୟ ରହିଥିବା ବେଳେ ଅନ୍ୟାନ୍ୟ ଦେଶ ଗୁଡିକରେ ତାହାର ବିଭାଜନ ଖୁବ୍ କମ୍ । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ ମନରେ ଯେ ନିରାକାର ଏମିତି ବିଭିନ୍ନତା ମଧ୍ୟରେ ଭିନ୍ନ ଭିନ୍ନ କୌଶଳ ପ୍ରୟୋଗ କରି ସମସ୍ତଙ୍କ ଲକ୍ଷ ଏକ ରଖିଥାନ୍ତି କାହିଁକି ଯାହା ସର୍ବ ଗ୍ରହଣୀୟ ହୋଇଥାଏ ?! ଏହା ବାସ୍ତବରେ କୌଣସି ଅଲୌକିକ ନିରାକାରଙ୍କ ପ୍ରେରିତ ବ୍ୟବସ୍ଥା ନା ଭିଭିନ୍ନ ସମୟରେ ସୁଯୋଗ ସୃଷ୍ଟି କରି କେତେକ ଚତୁର ମଣିଷ ନିଜସ୍ୱ ସ୍ୱାର୍ଥ ଦୃଷ୍ଟିରୁ ନିର୍ବୋଧଙ୍କୁ ଠକି ସ୍ୱାର୍ଥ ହାସଲ କରୁଛନ୍ତି ?! ଯାହା ହେଉ ଯିଏ ଯେଉଁ ରାସ୍ତାରେ ଅଗ୍ରଗାମୀ ତାହା ସେମାନଙ୍କ ବ୍ୟକ୍ତିଗତ ବିଚାରଧାରାର ପ୍ରତିଫଳନ । କାହାର ବ୍ୟକ୍ତିଗତ ବିଚାରଧାରାକୁ କୁଠାରାଘାତ କରିବା ଅଧିକାର କାହାର ହେଲେ ନାହିଁ । ପ୍ରତ୍ୟେକ ମଣିଷ ଯଦି ନିଜର ବିଚାରଧାରକୁ ସନ୍ତୁଳିତ କରି ସତ୍ୟର ଉନ୍ମୋଚନ ପାଇଁ ଚେଷ୍ଟା ନକରି ସମାଜରେ ପ୍ରଚାରିତ, ପ୍ରସାରିତ ଚିରାଚରିତ ବିଚାରଧାରାକୁ ନିର୍ବିଘ୍ନରେ ସର୍ବଶେଷ ଭାବେ ନିର୍ଣ୍ଣୟ କରି ସେସବୁ ନିଜ ଜୀବନ ଶୈଳୀ ସହିତ ସଂଯୋଜିତ କରିବା ଲକ୍ଷ ରଖିବେ ସେମାନଙ୍କୁ କୌଣସି ଚାପ ପ୍ରୟୋଗ ପୂର୍ବକ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ସେମାନେ ନିଜର ବିଚାରଧାରାକୁ ପରିବର୍ତ୍ତନ କରିବା ପାଇଁ ନିଜସ୍ୱ ଆଗ୍ରହ ପ୍ରକାଶ କରନ୍ତେ ସତ୍ୟର ଉନ୍ମୋଚନ କରିପାରିବେ ଯାହା ନକରି କେବଳ ସହଜ ଉପାୟରେ ନିରାକାରଙ୍କ ସାନିଧ୍ୟ ଲାଭ କରିବା ଲକ୍ଷ ରଖିଥିବା ମଣିଷଙ୍କ ବିଶେଷତ୍ୱ ଭିନ୍ନ ! ଗୋଟିଏ ନିରାଟ ସତ୍ୟକୁ ବୁଝିବାକୁ ହେବଯେ ଆଲୋଚ୍ୟ ବିଷୟର ତିନୋଟି ଉପାଦାନ ମଧ୍ୟରୁ ଯଦି କୌଣସି ଗୋଟିଏ ସତ୍ୟ ସାବ୍ୟସ୍ତ ହୁଏ ତାହେଲେ ତିନୋଟିଯାକ ସତ୍ୟ ଏବଂ ଗୋଟିଏ ମିଥ୍ୟା ସାବ୍ୟସ୍ତ ହେଲେ ତିନିଟିଯାକ ମିଥ୍ୟା ସୁନିଶ୍ଚିତ, କାରଣ ସେଗୁଡିକର ଆଧାର ଗୋଟିଏ ଦିଗରୁ ହିଁ ସୃଷ୍ଟି । ତେଣୁ ଯେଉଁମାନେ ସତ୍ୟକୁ ଉନ୍ମୋଚନ କରି ବାସ୍ତବତାକୁ ଆପଣେଇବାକୁ ଆଗ୍ରହୀ ହେବେ ସେମାନେ ନିଜ ଜୀବନକୁ ସରଳ, ସୁଗମ କରିପାରିବେ କେମିତି ପରବର୍ତ୍ତି ସପ୍ତାହ ଗୁଡିକରେ ପର୍ଯ୍ୟାୟ କ୍ରମେ ଆତ୍ମା, ପ୍ରତାତ୍ମା ଏବଂ ପରମାତ୍ମା ବିଷୟରେ ସମ୍ପୂର୍ଣ୍ଣ ଦାର୍ଶନିକ ଗବେଷଣାତ୍ମକ ତତ୍ୱର ବାସ୍ତବବାଦୀ ବିଶ୍ଳେଷଣ ବର୍ଣ୍ଣନା କରାଯିବା ଲକ୍ଷ ରଖାଯାଇଥିବା ଆମ ବିଚାରରେ ଆପଣଙ୍କ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା…………!
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.