
ଜଳେଶ୍ୱର (ସମୃଦ୍ଧ ଓଡିଶା) ଖେଳରୁ ସୃଷ୍ଟି ହୁଏ ମେଳି ଓ ବନ୍ଧୁତ୍ୱ । ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତରେ ୩ ଦିନର ଫୁଟବଲ ଟୁର୍ଣ୍ଣାମେଣ୍ଟ ପରେ ହଜାର ହଜାର ଆଦିବାସୀଙ୍କର ଏକ ମେଳି ଗତ ବୁଧବାର ସଂଖ୍ୟାରେ ଜମାଳପୁର ହାଇସ୍କୁଲ ପଡିଆରେ ଦେଖିବାକୁ ମିଳିଥିଲା । ଦୀର୍ଘବର୍ଷଧରି ରମାକାନ୍ତ ପରିଡା ମେମୋରିଆଲ ଫୁଟବଲ କ୍ଲବ, ଜମାଳପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ୨୩ ରୁ ଆରମ୍ଭ ହୋଇ ୨୫ରେ ଶେଷ ହୋଇଛି । ଏହି ଫୁଟବଲ ଟୁର୍ଣ୍ଣମେଣ୍ଟରେ ପୂର୍ବ ଓ ପଶ୍ଚିମ ମେଦିନୀପୁର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୨୦ଟି ଦଳ ଭାଗ ନେଇଥିଲେ । ଗତ ସଂଖ୍ୟାରେ ଖେଳର ଉଦଯାପନୀ ପାଉଁଶକୁଲି ଏକାଦଶ ସହିତ ବାରକୋଣା ଏକାଦଶୀର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲେ । ସେଥିରେ ବିଜେତା ପାଉଁଶକୁଲି ଏକାଦଶକୁ ୧୩ ନଗଦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବା ସହିତ ରନର୍ସ ଦଳ ବାରକୋଣା ଏକାଦଶୀକୁ ନଗଦ ୮ହଜାର ଟଙ୍କା ଓ ରନର୍ସ ଟ୍ରଫି ଆୟୋଜିତ ସଭାରେ ପ୍ରଦାନ କରାଯାଇଥିଲା । ସେହିପରି ବଙ୍ଗା ଫୁଟବଲ ଟିମକୁ ନଗଦ ୨୫୦୦ଟଙ୍କା ଓ ନଳଗଜା ଏକାଦଶକକୁ ୧୫୦୦ଟଙ୍କା ପ୍ରଦାନ କରାଯାଇଥିଲା । ଆୟୋଜିତ ସଭାରେ ହାଇକୋର୍ଟର ଆଇନଜୀବୀ ରାମଚନ୍ଦ୍ର ଜେନା ଅଧ୍ୟକ୍ଷତା କରି ଫୁଟବଲ ଖେଳ ଗ୍ରାମଞ୍ଚଳରେ କିପରି ଆଦୃତ ହୋଇଛି ତାହା କହିଥିଲେ । ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜୀବୀ ସତ୍ୟସୁନ୍ଦର ଦାସ, ମୁଖ୍ୟବକ୍ତା ଭାବେ ବାର୍ର ସଭାପତି କୁଞ୍ଜ ବିହାରୀ ଦାସ, ସମ୍ମାନୀତ ଅତିଥିରୂପେ ଅଶୋକ ପରିଡା, ରାଜୀବ ପରିଡା, ସମିତି ସଦସ୍ୟା ପ୍ରତିଭା ନାଥ, ନରେଶ ପରିଡା, ହେମନ୍ତ ଜେନା, ସଂଜୀବ ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଗତ ୨୩ ତାରିଖରେ ସମାଜସେବୀ ପ୍ରଭାଷ ଚନ୍ଦ୍ର ପରିଡା ଏହି ଖେଳକୁ ଉଦଘାଟନ କରିଥିଲେ । ଏହି ଅବସରରେ ରାତି ତମାମ ହଜାର ହଜାର ଆଦିବାସୀ ଡାବୁନ୍ ଡାବୁନ୍ ନୃତ୍ୟର ତାଳେ ତାଳେ ଝୁମି ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା