ଆନ୍ତରାଜ୍ୟ ସଂଯୋଗୀକରଣ ଯୋଜନାରେ ନେତୁଆ-ଆଡିନଗା ରାସ୍ତା, ୮ କୋଟି ୮ଲକ୍ଷ ଟଙ୍କାର ଶିଳାନ୍ୟାସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱର ସହିତ ପଶ୍ଚିମବଙ୍ଗର ଶ୍ଚିମ ମେଦିନୀପୁର ଜିଲା ମୋହନପୁର ସହିତ ଭାଇଚାରା, ଐତିହ୍ୟ ସଂସ୍କୃତି ପରମ୍ପରାର ବିକାଶ ଲାଗି ଆନ୍ତରାଜ୍ୟ ସଂଯୋଗୀକରଣ ଯୋଜନା ପାଣ୍ଠିରୁ ୮କୋଟି ୮ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଫଳରେ ଦୁଇ ରାଜ୍ୟର ସହଯୋଗ ଓ ବନ୍ଧୁତ୍ୱ ବଢିବା ସହ ଅର୍ଥନୈତିକ ବିକାଶ ଘଟିବ ବୋଲି ଦୁଇ ଅଂଚଳର ବିଧାୟକ ପ୍ରକାଶ କରିଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳିର ନେତୁଆ ପଂଚାୟତ ଅଫିସ୍ ଠାରୁ ଆଡିନଗା-କମାରଶାଳିଆ ଭାୟା ସେକବଂଗାଳ ଦେଇ ଏକ ତିନିକିଲୋମିଟରର ଆନ୍ତରାଜ୍ୟ ସଂଯୋଗୀକରଣର ରାସ୍ତା ନିର୍ମାଣ ହୋଇଛି । ନେତୁଆ ପଂଚାୟତର ସାହାପୁର ଠାରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଡ. ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରି ଏହି ରାସ୍ତା ଫଳରେ ଦୁଇ ଉପାନ୍ତ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଶିଳାନ୍ୟାସ କରି ଜଳେଶ୍‌ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ସମଗ୍ର ରାଜ୍ୟରେ ୩ଟି ରାସ୍ତାକୁ ମଞ୍ଜୁରୀ ଦେଇଥିବା ବେଳେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୨ଟି ରାସ୍ତା ସ୍ଥାନ ପାଇଛି । ଏହି ରାସ୍ତା ନିର୍ମାଣ ହେବା ଫଳରେ ଭବିଷ୍ୟତରେ ବସ୍ ଚଳାଚଳ ଓ ଗମନା ଗମନର ସୁବିଧା ଯୋଗୁଁ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଧାର ହେବ ବୋଲି କହିଥିଲେ । ଓଡିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ବିକାଶ ଲାଗି ୭୦-୭୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଅଗାମୀ ଦିନରେ ପଶ୍ଚିମବଙ୍ଗ ପରି ଓଡିଶାରେ ‘ଖେଲା’ ଆରମ୍ଭ ହେବାକୁ ଯାଉଥିବା କହିଥିଲେ । ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ବିଧାୟକ ବିକ୍ରମ ପ୍ରଧାନ ଓଡିଶାର ବିକାଶ ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ସମୟରେ ସମ୍ଭବ ହୋଇଥିବା କହିଥିଲେ । ଆଞ୍ଚଳିକ ପରିବହନର ବିକାଶ ବିନା ସାମଗ୍ରୀକ ବିକାଶ ଅସମ୍ଭବ ବୋଲି କହି ଆଗାମୀ ଦିନରେ ଏହି ରାସ୍ତାର ପୂର୍ଣ୍ଣିଙ୍ଗୀକରଣ ଓ ନବିକରଣ ଲାଗି ଚେଷ୍ଟିତ ହେବେ ବୋଲି କହିଥିଲେ । ଏହି ସଭାରେ ପଶ୍ଚିମବଙ୍ଗର ବିଦ୍ୟାସାଗର କେନ୍ଦ୍ରୀୟ ବ୍ୟାଙ୍କର ଅଧ୍ୟକ୍ଷ ପ୍ରଦୀପ ପାତ୍ର, ଦାନ୍ତୁନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଝରଣା ଦାସ, ସମାଜସେବୀ ଶରତ ଚନ୍ଦ୍ର ପରିଡା, ନେତୁଆ ସରପଞ୍ଚ ମମତା ହୁଇ ଦୁଇରାଜ୍ୟର ଆଂଚଳିକ ଜଳ ନିଷ୍କାସନ, ସଡକ ପଥର ଉନ୍ନତି ଓ ଭାଇଚାରା ବୃଦ୍ଧି ସଂପର୍କରେ କହିଥିଲେ । ମଞ୍ଚରେ ପଶ୍ଚିମବଙ୍ଗରୁ ଆସିଥିବା ଚନ୍ଦନ ବେରା, ନବକୁମାର ମହାପାତ୍ର, ରାଜୀବ ମହାନ୍ତି, ଭାଗବତ ଦାସ ଓ ନେତୁଆ ପଂଚାତରୁ କରୁଣାକର ପାତ୍ର, ଭୂପତି ମିର୍ଦ୍ଧା, ଅନାଦି ଦାସ ପ୍ରମୁଖ ମଂଚଳରେ ଉପସ୍ଥିତ ଥିଲେ । ଶେଷରେ ସୁକୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା