ଢେଙ୍କାନାଳ (ସମୃଦ୍ଧ ଓଡିଶା) ସମ୍ପ୍ରତି କୋରୋନା ମାର୍ଗଦର୍ଶୀକାକୁ ସମ୍ପୂର୍ଣ୍ଣ ଅନୁସରଣ କରି ଆଜି ପ୍ରାତଃ ୮.୩୦ମିରୁ ଦିବା ୧୦.୩୦ମି ପର୍ଯ୍ୟନ୍ତ ଦୀର୍ଘ ୨ ଘଣ୍ଟା କାଳ ଅନୁଷ୍ଠିତ ଆନ୍ତର୍ଜାତୀୟ ଅନଲାଇନ କର୍ମଶାଳାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରି ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରି ମୋହନ ରାଉତଙ୍କ ମାର୍ଗଦର୍ଶନ, ନେତୃତ୍ୱ ଓ କର୍ମଚାରୀମାନଙ୍କ ସହାୟତାରରେ ଶିକ୍ଷା ସହାୟକ ଶଙ୍ଖର ଗୁରୁଙ୍ଗ ଓ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସଫଳ ଅଂଶ ଗ୍ରହଣ କରି ପ୍ରଶଂସା ପତ୍ର ହାସଲ କରିଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅନର୍ଗତ ନେହେରୁ ବିଜ୍ଞାନ କେନ୍ଦ୍ର, ମୁମ୍ବାଇ ଓ କେନ୍ଦ୍ରୀୟ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପ୍ରୟୋଗଶାଳା, (ସି. ଆର. ଟି. ଏଲ), କୋଲକତାର ସଂଯୁକ୍ତ ଆୟୋଜନରେ ଦେଶ ବିଦେଶରୁ ଓ ଭାରତର ବିଭିନ୍ନ ପ୍ରଦେଶରୁ ୨୩ ଗୋଟି ବିଜ୍ଞାନକେନ୍ଦ୍ରର ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଏହିପରି ସର୍ବମୋଟ ପ୍ରାୟ ୮୦ ଜଣ ଏହି ଅନଲାଇନ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ସଂଯୁକ୍ତ ରାଷ୍ଟ୍ର ଆମେରିକାର ବିଶ୍ୱ ପ୍ରସିଦ୍ଧ ବିଜ୍ଞାନ ପ୍ରଶିକ୍ଷକ ଏ.ଡ଼ି. ଗୋଲଡ଼ଷ୍ଟାଇନ ଓ ରବର୍ଟ ପାୟୋ ଯୁଗ୍ମ ଭାବରେ ‘ବିଜ୍ଞାନ ଶିକ୍ଷା ପାଇଁ ବିଜ୍ଞାନ ଶିକ୍ଷଣ’ ଏବଂ ‘ସଂଗ୍ରହାଳୟ ଓ ବିଦ୍ୟାଳୟ ସମୂହର ସହାବସ୍ଥାନରେ ସଫଳ ଭାବରେ କାର୍ଯ୍ୟକ୍ରମ’ ସମ୍ପର୍କରେ ଏହି ଅନଲାଇନ କର୍ମଶାଳା- ଓଣ୍ଡରସ ଆଣ୍ଡ ସ୍ପାର୍କ (Wonders And Spark) ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଜ୍ଞାସା, କଳ୍ପନା ଜାଗ୍ରତ ତଥା ଶିକ୍ଷାକୁ ସରଳ, ଆନନ୍ଦଦାୟକ, ବୋଧଗମ୍ୟ କରିବା ପାଇଁ କେତୋଟି ନିଜେ ହାତରେ କରିପାରିବା ଶିକ୍ଷଣ ପ୍ରୟୋଗ ଓ ଗତିବିଧି, ମୋଗଲ ସମୟର ସ୍ଥାପତ୍ୟ, କାରୁକାର୍ଯ୍ୟର ବିଭିନ୍ନ ଚିତ୍ର ଅଙ୍କନ ପ୍ରଣାଳୀର ପ୍ରସ୍ତୁତି ସମ୍ପର୍କରେ ଅତ୍ୟନ୍ତ ସୁନ୍ଦର ଗଣିତ, ଜ୍ୟାମିତି, ବିଜ୍ଞାନ ଭିତ୍ତିଭୂମି ଉପରେ ଆଧାରିତ କୌଶଳ ପ୍ରଦର୍ଶନ କରିଥିଲେ । ସେହିଭଳି ପୃଥିବୀର ଏକ ଘୁର୍ଣ୍ଣାୟମାନ ଗ୍ଲୋବ ଓ କମ୍ପାସ ସୂଚୀ ଦ୍ୱାରା ଯେକୌଣସି ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସୂଚାଉଥିବା ଦିଗନିର୍ଦେଶକ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଅତ୍ୟନ୍ତ ସହଜ ଉପାୟରେ ପ୍ରଦର୍ଶନ କରିପାରି ଥିଲେ ଯାହାକି ସମସ୍ତଙ୍କୁ ଚକିତ କରିଥିଲା । କାର୍ଯ୍ୟକ୍ରମ ପରିଶେଷରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ଶିକ୍ଷା ଅଧିକାରୀ ମଥୁରି ମୋହନ ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ ; ଶୁଭମ ପାଣି