ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଅକ୍ଷମ କଲ୍ୟାଣ ସମାଜ, ଜଳେଶ୍ୱର ଶାଖା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଧଳବାଡି ସପ୍ତାହ ପାଳିତ ହୋଇଛି । ଏଥିରେ ମୋଟ ୭୦ ଜଣ ଭିନ୍ନକ୍ଷମ ନୂଆବଜାର ଛକଠାରୁ ନନ୍ଦିକାସ୍ଥିତ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩୦ଜଣ ଦୃଷ୍ଟିବାଧିତ ଥିବାରୁ ସେମାନଙ୍କୁ ଧଳବାଡି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଉତ୍ସବରେ ଓଡିଶା ଅକ୍ଷମ କଲ୍ୟାଣ ସମାଜ, ଜଳେଶ୍ୱର ଶାଖା ସଭାପତି ବିଷ୍ଣୁପଦ ମହାନ୍ତି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରେବତୀ ପତ୍ରିକାର ସଂପାଦିକା ସୁବାସିନୀ ଜେନା ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତିମାନେ କାହାର ଦୟାର ପାତ୍ର ନୁହନ୍ତି ଏବଂ ସେମାନେ ମଧ୍ୟ ସମାଜରେ ଅଲୋଡା ନୁହଁନ୍ତି । ଦୃଢ ମାନସିକତା, ପ୍ରଚେଷ୍ଟା ଫଳରେ ସେମାନେ ମଧ୍ୟ ଆଜିର ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ବିଇଓ ବିଜୟ କୁମାର ନାଥ, ବରିଷ୍ଠ ଆଇନ୍ଜିବୀ ଭୂବନାନନ୍ଦ ଦାସ, ଉପଦେଷ୍ଟା ଡ. ଈଶ୍ୱର ଚନ୍ଦ୍ର ଜେନା, ଜିତାରାମ ଦେ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟର ସଭାପତି କମଳଚକ୍ରବର୍ତ୍ତୀ ଅତିଥି ପରିଚୟ କରିଥିବା ବେଳେ ସଂପାଦକ କପିଳେଶ୍ୱର ମହାନ୍ତି ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ, ଶରତ ଚନ୍ଦ୍ର ପରିଡା, କ୍ଷେତ୍ରମୋହନ ଗିରି, ଦିଲ୍ଲିପ କୁମାର ଗିରି, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଠୀ, ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ, ପଂଚାନନ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶେଷରେ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା