

ବିଶାଖାପାଟଣା (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଲକଡାଉନ କରାଯାଇଥିବା ବେଳେ ସମସ୍ତ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ସରକାର ନିଷେଧାଜ୍ଞା ତଥା ପ୍ରତିଷେଧକ ମୂଳକ ବ୍ୟବସ୍ଥା କରିଥିବାରୁ କାମ ଧନ୍ଦା ନ ପାଇଁ ଗରିବ ଦିନ ମଜୁରିଆ ମାନେ ଉପାର୍ଜନ କ୍ଷମ ହୋଇ ପାରି ନାହାନ୍ତି । ଫଳରେ ପରିବାର ପରିପୋଷଣ କରିବା ସେମାନଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇଯାଇଛି । ସେଇଥିପାଇଁ ଲୋକଙ୍କ ସମସ୍ୟାକୁ ବିଚାର କରି ଆନ୍ଧ୍ର ପ୍ରଦେଶରେ ସରକାର ଓ ରାଜନୈତିକ ଦଳ ଏହି ଅସହାୟ ମାନଙ୍କୁ ସେବା କରିବାକୁ ଆଗେଇ ଆସିଛନ୍ତି । ଗତକାଲି ଠାରୁ ତେଲୁଗୁ ଦେଶମ ପାର୍ଟି, ଗୋକରା ସଂଘ, ବିଭିନ୍ନ ମହିଳା ସଂଘ ଘର ଘର ବୁଲି ପନିପରିବା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ବିଶାଖାପାଟଣାର ୩ ନମ୍ବର ୱାର୍ଡ ତଥା ରାମାଳୟମ ସାହି, ପୁରୁଣା ଡ଼ାଇରୀ ଫାର୍ମ ସାହି, ଏସଆଇଜି ନଗର ଆଦି ଅଞ୍ଚଳରେ ସରକାରରେ ଥିବା ୱାଇଆରସିପି ପକ୍ଷରୁ ମଧ୍ୟ ପନିପରିବା ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି । ଏଥିପୂର୍ବରୁ ସରକାର ୧ ହଜାର ଟଙ୍କା ଲେଖାଏଁ ସମସ୍ତଙ୍କୁ ଦେଇଥିବା ଜଣାପଡିଛି । ତେବେ ଆନ୍ଧ୍ର ପ୍ରଦେଶରେ ରାଜନୈତିକ ଦଳ ଗୁଡିକ ଯେଭଳି ଭାବରେ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆଗଭର ହୋଇ ବାହାରିଛନ୍ତି ସେପରି ମହିଳା ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ପନିପରିବା ଆଦି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଘରେ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି ।
ରିପୋର୍ଟ : ପି. ପ୍ରତାପ କୁମାର