ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ୫ମ ମହଲାରେ ଲାଗିଥିଲା ନିଆଁ, କେହି ମୃତାହତ ହୋଇନଥିବା ସୂଚନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ପୂର୍ବାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଆପୋଲୋ ହସ୍ପିଟାଲ ପଂଚମ ମହଲାରେ ନିଆଁ ଲାଗିବାରୁ ଧୂଆଁମୟ ହୋଇଯାଇଥିଲା । ଏହି ଘଟଣାର କିଛି ସମୟ ମଧ୍ୟରେ ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଅଗ୍ନିକାଣ୍ଡ ପରେ ଉକ୍ତ ମହଲାର ଆଇସିୟୁ ଓ ଏନଆଇସିୟୁରେ ଥିବା ଗୁରୁତର ରୋଗୀମାନଙ୍କୁ ତୁରନ୍ତ ବାହାରକୁ ଅଣାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଉକ୍ତ ମହଲାରେ ଥିବା ବ୍ୟାଟେରୀ ରୁମ ରେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ହସ୍ପିଟାଲର ପଂଚମ ମହଲାରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡିବା ପରେ ରୋଗୀ, ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ହସ୍ପିଟାଲ କର୍ମଚାରୀମାନେ ରୋଗୀ ବାହାରକୁ ଆଣିଥିଲେ । ହୁଇଲ ଚେୟାର ଓ ଷ୍ଟ୍ରେଚର ଦ୍ୱାରା ଏମରଜେନ୍ସ ଏକଜିଟ ଦେଇ ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା ୟ ଅଗ୍ନିକାଣ୍ଡ ଫଳରେ ପ୍ରବଳ ଧୂଆଁ ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇଥିଲା । ଅଗ୍ନିଶମ ଅଧିକାରୀମାନେ ମାସ୍କ ପିନ୍ଧି ଭିତରେ ପ୍ରବେଶ କରି ହସ୍ପିଟାଲର କାଚ ଭାଙ୍ଗି ଧୂଆଁକୁ ବାହାର କରିବାକୁ ଉଦ୍ୟମ କରିଥିଲେ । ୫ମ ମହଲାରେ ଥିବା ପ୍ରାୟ ୨୦ ଜଣ ରୋଗୀଙ୍କୁ ତଳକୁ ଅଣାଯାଉଥିିବା ସୂଚନା ମିଳିଛି । ତେବେ ଲିଫ୍ଟ ବନ୍ଦ ଥିବାରୁ ରୋଗୀମାନଙ୍କୁ ଷ୍ଟ୍ରେଚରରେ ବାନ୍ଧି ତଳକୁ ଅଣାଯିବା ପରେ ଅନ୍ୟ ଡାକ୍ତରଖାନାରେ ଭର୍ତିି କରାଯାଇଥିଲା । ତୁରନ୍ତ ଚିକିତ୍ସା ଦରକାର କରୁଥିବା ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା । ଆପୋଲୋ ହସ୍ପିଟାଲ ପରିସରରେ ୫୦ଟି ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଲାଗିଥିଲେ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସମ୍ପୃକ୍ତ ହସ୍ପିଟାଲର ସିଇଓ ଓ ପୋଲିସ୍ କମିଶନର ସତ୍ୟଜିତ ମହାନ୍ତି ପ୍ରକାଶ କରିଛନ୍ତି । ପୋଲିସ୍ କମିଶନର ଶ୍ରୀ ମହାନ୍ତି କହିଛନ୍ତି ଆପୋଲୋ ହସ୍ପିଟାଲର
୫ମ ମହଲାରେ ଥିବା ବ୍ୟାଟେରୀ ରୁମ୍ ରୁ ହଠାତ୍ ଧୂଆଁ ବାହାରିଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ହସ୍ପିଟାଲର ଫାୟାର ଅଡ଼ିଟ୍ ରିପୋର୍ଟ ଯାଞ୍ଚ କରାଯିବ । ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିଲା କିମ୍ବା ନାହିଁ ତାର ମଧ୍ୟ ଯାଞ୍ଚ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର