ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଆମ୍ବଳିଅଠା ସରସ୍ୱତୀ ବିଦ୍ୟାମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦଙ୍କ ଧର୍ମପତ୍ନୀ ଓ ରେବତୀର ସମ୍ପାଦିକା ସୁବାସିନୀ ଜେନା ଉପସ୍ଥିତ ହୋଇ ଭାରତୀୟ ସଂସ୍କୃତିରେ ନୀତିନିଷ୍ଠ ମା’ ମାନେ ଭଲ ଓ ସୁସ୍ଥ ସମାଜ ଗଠନ କରିଥାନ୍ତି ।ଏହି ସଫଳତା ପାଇଁ ଜୀବନ ତମାମର ପ୍ରକ୍ରିୟା ଆବଶ୍ୟକ ଅଟେ । ନରକରାତ୍ମକ ଚିନ୍ତା ଚେତନା ଛାଡି ସଫଳ ଭବିଷ୍ୟତ ସୃଷ୍ଟି ଗଠନ ଲାଗି ପ୍ରତ୍ୟେକ ମା’ ଦୃଢ ସଂକଳ୍ପ ନେଇ ପିଲାମାନଙ୍କୁ ଗଢି ତୋଳିଲେ ସଫଳ ସମାଜ ଗଠନ ସମ୍ଭବ ବୋଲି ଶ୍ରୀମତୀ ଜେନା ତାଙ୍କର ଅଧ୍ୟକ୍ଷତା କରି ସାଂପ୍ରତିକ ସ୍ଥିତିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଜଳେଶ୍ୱର ବ୍ଲକ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ପ୍ରଫେସର ବିଜୟ କୁମାର ଦାସ ବିଶ୍ୱାୟତନ ଶିକ୍ଷାରେ ପାଶ୍ଚାତ୍ୟ ରାଷ୍ଟ୍ରର ଶିକ୍ଷା ପ୍ରଣାଳୀ ଭାରତୀୟ ଶିକ୍ଷା ପ୍ରଣାଳୀରେ ଓଲଟା ହୋଇ ମଧ୍ୟ ବିଶ୍ୱରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବାର ବହୁ ଉଦାହରଣ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଅଧ୍ୟାପକ ନୀଳକଣ୍ଠ ପଣ୍ଡା, ବରିଷ୍ଠ ଶିକ୍ଷକ ଅଜିତ କୁମାର ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ସପନ କୁମାର ଜେନା, ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନା ଅନୁଷ୍ଠାନର ପ୍ରତିଷ୍ଠାତା ଗୌରାଙ୍ଗ ଚରଣ ପାତ୍ର, ସି.ଆର.ସି.ସି ପ୍ରଫୁଲ୍ଲ କୁମାର ମହାନ୍ତି ଓ ପଙ୍କଜ କୁମାର ଜେନା, ଶିକ୍ଷା ବିକାଶ ସମିତିର ଉତ୍ତରାଞ୍ଚଳ ପ୍ରମୁଖ ଗୌରାଙ୍ଗ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚାନ୍ଦ ଓ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁକୁମାର ରଣା ନିଜ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ରବିନାରାୟଣ ପାତ୍ର ବିବରଣୀ ପାଠ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବାସନ୍ତୀ ପ୍ରଧାନ ଶିକ୍ଷାଦାନ ସମ୍ପର୍କରେ କହିଥିଲେ ।ମନୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ବହୁ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା