ଆରଡିସି ପରିଦର୍ଶନ କଲେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଆରଡିସି ଟି.ଆପାଙ୍ଗ ଆଓ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକକୁ ଆସି ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ । ଗ୍ରାମୀଣ ଗୃହ ଯୋଜନା, ଅନୁସୂଚିତ ଜାତି /ଜନଜାତି ବିଭାଗଙ୍କ ସମେତ ସମସ୍ତ ବିଭାଗର କାର୍ଯ୍ୟର ବିଭିନ୍ନ ନଥିପତ୍ର ତନଖୀ ଦେଖିଥିଲେ । ସମସ୍ତ ସ୍କିମ୍ ଗୁଡିକର କାର୍ଯ୍ୟ କାହିଁକି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଓ କେଉଁ କାରଣରୁ ହୋଇନାହିଁ ପଚାରି ବୁଝିଥିଲେ । ୧୫ଦିନ ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ କାର୍ଯ୍ୟର ୟୁସି ଦାଖଲ କରିବା ସହ ସମସ୍ତ କାର୍ଯ୍ୟ ଗୁଡିକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଶେଷ କରିବା, ମନରେଗା ଯୋଜନା ଅଧପାନ୍ତାରିଆ ଥିବା କାର୍ଯ୍ୟ ଗୁଡିକ ଧାର୍ଯ୍ୟ ସମୟସୀମା ଭିତରେ ଶେଷ କରିବା ସହ କାର୍ଯ୍ୟ ଗୁଡିକ ଠିକ୍ କାର୍ଯ୍ୟ ହେଉଛି କି ନାହିଁ , ଜବ୍ କାର୍ଡ ଧାରୀ ମାନଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ମିଳୁଛି କି ନାହିଁ , କନିଷ୍ଠ ଯନ୍ତ୍ରୀ (ଜେଇ/ଜିପିଟିଏ) ମାନଙ୍କ କାର୍ଯ୍ୟ ଗୁଡିକ କାହିଁକି ସରିନି ବୋଲି ପଚାରିଥିଲେ । ଆଇ ସି ଡି ଏସ ର ଅଙ୍ଗନବାଡୀ ସେଣ୍ଟରର, ଏସଏନପି ଖାଦ୍ୟର, ଓଡିଶା ଜୀବିକା ମିଶନ ଦ୍ୱାରା ସ୍ୱୟଂ ସହାୟିକ ମହିଳା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ବୀ ପାଇଁ ଠିକ୍ ଋଣ ପ୍ରଦାନ କରାଯାଉଛି କି ନାହିଁ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର କାଳିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଡପୁଟି ଗ୍ରାମର ପାନୀୟ ଜଳ ସମସ୍ୟା, ଚମାଖଣ୍ଡି ସ୍କୁଲ ପାଣି କାହିଁକି ଯାଉନାହିଁ, ମତ୍ସ୍ୟ ବିଭାଗ ପକ୍ଷରୁ ସମସ୍ତ ପଞ୍ଚାୟତରେ  ଥିବା ବନ୍ଧ ଗୁଡିକରେ ମାଛ ଛାଡି ମାଛ ଉତ୍ପାଦନ କରିବା, ସାମାଜିକ ସୁରକ୍ଷା ବିଭାଗର ପଡି ରହିଥିବା ବିଭିନ୍ନ ବର୍ଗର ଭର୍ତ୍ତାଗୁଡିକ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ବିଶେଷ କରି ଗତ ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ଆର୍ଥିକ ରିଲିଫ ସହାୟତା କାର୍ଯ୍ୟ ଶେଷ ହୋଇଛି କି ନାହିଁ ପଚାରି ବୁଝିଥିଲେ । ଏହି ନିରୀକ୍ଷଣ ବେଳେ ଛତ୍ରପୁର ବିଡିଓ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ବ୍ଲକ ନିବାର୍ହୀ ଯନ୍ତ୍ରୀ ନୀରଞ୍ଜନ ପଣ୍ଡା, ଆକାଣ୍ଟ ଅଫିସର ତଥା ଭାରପ୍ରାପ୍ତ ଅତିରିକ୍ତ ବିଡିଓ କାଳି ପ୍ରସାଦ ଖଟେଇ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ଲକ ମୁଖ୍ୟ କିରାଣୀ ପ୍ରଦୀପ ନାୟକଙ୍କ ସମେତ ସମସ୍ତ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା