ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୫ଶହରୁ ଉର୍ଦ୍ଧ ଲୋକ ନୂତନ ଗୃହ ଯୋଗାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଦେଲେ ଦାବୀ ପତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୫ଶହରୁ ଉର୍ଦ୍ଧ ଲୋକେ ନେତାଜୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ, ୧୯୯୯ ମସିହା ମହାବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭାରତ ଇଲେକ୍ଟ୍ରିକାଲ ଲିମିଟେଡ଼(ବେଲ) କମ୍ପାନୀ ଜରିଆରେ ପ୍ରାୟ ୫ ଶହରୁ ଅଧିକ ଘର ନିର୍ମାଣ କରି ଆର୍ଯ୍ୟପାଲ୍ଲୀ ପଞ୍ଚାୟତର ନିହାତି ଗରିବ ଲୋକଙ୍କୁ ପ୍ରଦାନ କରାଯାଇଥିଲା । ଆର୍ଯ୍ୟପାଲ୍ଲୀ ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଗୃହଗୁଡିକର ଅବଧି ପ୍ରାୟ ୧୦ ରୁ ୧୨ ବର୍ଷ ହୋଇଥାଏ । କିନ୍ତୁ ଗୃହ ଗୁଡିକୁ ଲୋକଙ୍କୁ ହସ୍ତାନ୍ତର ହେବାର ଦୀର୍ଘ ୨୦ ବର୍ଷ ବିତିଯାଇଛି । ବର୍ତ୍ତମାନ ସେହି ଗୃହ ଗୁଡିକ ଏବେ ଅବସ୍ଥା କହିଲେ ନ ସରେ । ଘରର ଛାତ ଭୁଶୁଡି ଖଣ୍ଡ ଖଣ୍ଡ ପଡୁଥିବା ଥିବାବେଳେ କେତେକ ଘର ଗୁଡିକ ସଂପୂର୍ଣ୍ଣ ନଷ୍ଟ ହେବାକୁ ଗଲାଣି । ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟା ଆସିଲେ ଆର୍ଯ୍ୟପାଲ୍ଲୀ ପଞ୍ଚାୟତ ବହୁ କ୍ଷତିଗ୍ରସ୍ତ ହେଉଛି । ଏଣୁ ଉକ୍ତ ଘର ଗୁଡିକୁ ପକ୍କା ଭାବେ ପୁନଃ ନିର୍ମାଣ କରିବା ନଚେତ ନୂତନ ଗୃହ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ସଂପୃକ୍ତ ପରିବାର ଦାବି କରିଛନ୍ତି । ଆର୍ଯ୍ୟପାଲ୍ଲୀ ସରପଞ୍ଚ ଏମ.ଲକ୍ଷ୍ମୀ, ଓଡିଶା ମତ୍ସ୍ୟଜିବି ନେତା ଏମ.ଗୁଲାମୀ ଏବଂ ନ୍ୟାୟ ସରପଂଚ ପି.ବାବାଜୀଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଥିରେ ମତ୍ସ୍ୟଜିବି ନେତା ବି.ସୀମାଦ୍ରୀ, ବି.ଭୀମ, ପି.ରାମବାବୁ, କେ.ଦାଶରଥି, ଭଦ୍ରବ୍ୟକ୍ତି ପି.ମାଧେୟା, ଏନ.ନାନେୟା, ଏନ.ସନ୍ୟାସୀ, ବି.ଏରେୟା, ବି.ଚନ୍ଦ୍ରୟା, ବି.ଶଙ୍କରଙ୍କ ସମେତ ଶତାଧିକ ମତ୍ସ୍ୟଜୀବୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା