ଆସନ୍ତା କାଲି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ ଓ କାକିନଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଘୁର୍ଣ୍ଣିଝଡ଼’ପେଥାଇ’ …

ବିଶାଖାପାଟଣା(ସମୃଦ୍ଧ ଓଡିଶା )ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ ‘ପେଥାଇ’ର ରୂପ ନେଇଛି। ‘ପେଥାଇ’ ବର୍ତ୍ତମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ଆରମ୍ଭ କରିଛି।ତାଜା  ଖବର ସୁଦ୍ଧା ପେଥାଇ ଚେନ୍ନାଇଠାରୁ ୫୯୦ କିମି ଏବଂ ମଚ୍ଛଲିପଟନମଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପେଥାଇ ସମୁଦ୍ର ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ଝଡ଼ବାତ୍ୟାରେ ପରିଣତ ହେବ।ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ଣରେ ଆନ୍ଧ୍ରପ୍ରଦେଶର ମାଚ୍ଛଲିପଟନମ ଏବଂ କାକିନାଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବ ଏବଂ ସେହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ‘ପେଥାଇ’ ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ସେହିପରି ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।