

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ୧୬ ଠାରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ୭୮ଟି କୋଲ୍ଡ୍ ଚେନ୍ ପେଣ୍ଟ୍ରେ ଟୀକା ଗୁଡିକୁ ସୁରକ୍ଷିତ ଭାବେ ରଖାଯିବ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫,୧୦୬ ଜଣଙ୍କୁ ଟୀକା ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି । ଜିଲ୍ଲାର ୧୪୨ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୦୫ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ହେଲଥ କର୍ମଚାରୀଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବ । ୧୧ଟି ଟୀକା ପ୍ରଦାନ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ । ପ୍ରତି କେନ୍ଦ୍ର ଗୁଡିକରେ ୧୦୦ ଜଣ ଲେଖାଏଁ ହେଲଥ କର୍ମଚାରୀଙ୍କୁ ଦୈନିକ ମୋଟ ୧୧୦୦ ଜଣଙ୍କୁ ଟୀକା ପ୍ରଦାନ କରିବାକୁ ସ୍ଥିର ହୋଇଥିବା ଜଣାପଡିଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଜିଲ୍ଲାର ବ୍ରହ୍ମପୁର ସିଟି ମେଡିକାଲ୍, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ, ଜନାନ୍ ହସ୍ପିଟାଲ୍, ଆସ୍କା ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଅପର୍ ପ୍ରାଇମେରୀ ହେଲଥ ସେଣ୍ଟର, କମ୍ୟୁନିଟି ହେଲଥ ସେଣ୍ଟର୍ ସୁମଣ୍ଡଳ, ଚିକିଟି, ଧରାକୋଟ୍, ବେଲଗାଁରେ ଟୀକା ପ୍ରଦାନ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
