ଆସନ୍ତା ୨୬ରୁ ଛୁଟିରେ ଯିବା ପାଇଁ ଦରଖାସ୍ତ ଦେଲେ ଶିକ୍ଷାସେବା ଅଧିକାରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଗତକାଲି ଓଡିଶା ଶିକ୍ଷା ସେବା ସଂଘର ଏକ ଜରୁରୀ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୨, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ଶିକ୍ଷା ସେବା ଅଧିକାରୀଙ୍କର କ୍ୟାଡର ପୁର୍ନଗଠନ ଓ କ୍ୟାଡର ରୁଲ ପ୍ରଣୟନ ଏକ ସପ୍ତାହ ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଶିକ୍ଷା ସେବା ଅଧିକାରୀମାନଙ୍କର ୧୯୭୧ ମସିହାରୁ ପ୍ରଣୟନ ହୋଇଥିବା ଲୋକସେବା ଆୟୋଯଗ ଦ୍ୱାରା ନିଯୁକ୍ତି ନିୟମାବଳୀ ଭିତ୍ତିରେ ଆଜି ପଯ୍ୟନ୍ତ କ୍ୟାଡର ରୁଲଟିଏ ସରକାର କରିନାହାନ୍ତି । ଫଳରେ ଶିକ୍ଷା ସେବା ଅଧିକାରୀମାନେ ଚାକିରି କ୍ଷେତ୍ରରେ ବହୁ ଭାବେ ଉପେକ୍ଷିତ ହେଉଛନ୍ତି । ତେଣୁ ସଂଘର ଆଜିର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ଶିକ୍ଷା ସେବା ଅଧିକାରୀ ବିଦ୍ୟାଳୟର ସ୍ତରରୁ ଆରମ୍ଭ କରି ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ଆସନ୍ତା ୨୬ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଏକ ମାସ ଛୁଟିରେ ରହିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେବେ ବୋଲି ସଂଘର ସାଧାରଣ ସମ୍ପାଦକ ଡକ୍ଟର ସନାତନ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭୨ ଲକ୍ଷ ଛାତ୍ରଛାତ୍ରୀଙ୍କର ଶିକ୍ଷଦାନ ହେବା ସଙ୍ଗେ ସଙ୍ଗେ ୨.୫ ଲକ୍ଷ ଶିକ୍ଷକ ଓ ଶିକ୍ଷା ବିଭାଗୀୟ କର୍ମଚାରୀ ଦରମା ଓ ପେନସନ ଆଦି ପାରିବାରୁ ବଞ୍ଚିତ ହେବେ ଏବଂ ଓଡ଼ିଶାର ସମଗ୍ର ଶିକ୍ଷା ବ୍ୟବସ୍ଥା ଅଚଳ ହେବ ।  ଓଡିଶା ଶିକ୍ଷା ସେବା ସଂଘର ଏହି ନ୍ୟାର୍ଯ୍ୟ ଦାବୀ ଓ ପ୍ରତିବାଦକୁ ରାଜ୍ୟର ସମସ୍ତ ଶିକ୍ଷକ ସଂଘ ଓ ଶିକ୍ଷା ବିଭାଗରୀୟ କର୍ମଚାରୀ ନୈତିକ ସମର୍ଥନ ଜଣାଇଥିବାରୁ ସଂଘ ତରଫରୁ ସେମାନଙ୍କୁ ସାଧୁବାଦ ଜଣାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା