ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ଏହି ବୈଠକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ଅଧିକାରୀମାନଙ୍କର ଏକ ବାର୍ଷିକ ବୈଠକ । ପ୍ରଥମଥର କରି ଏହି ବୈଠକ ଓଡିଶାରେ ଅନୁଷ୍ଠିତ ହେଉଅଛି । ଏହି ବୈଠକରେ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ଼. ମୋହନରାଓ ଭାଗବତ୍ ଏବଂ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଭୈୟାଜୀ ଯୋଶୀଙ୍କ ସମେତ ଅଖିଳ ଭାରତୀୟ, କ୍ଷେତ୍ର ଓ ପ୍ରାନ୍ତର ଅଧିକାରୀମାନେ ଉପସ୍ଥିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ଆଲୋଚନା କରିବେ । ପାଖାପାଖି ୪୦୦ ପ୍ରତିନିଧି କାର୍ଯ୍ୟକାରି ମଣ୍ଡଳ ବୈଠକରେ ଯୋଗଦେବେ । ଗତ ମାର୍ଚ୍ଚ ମାସରେ ହୋଇଥିବା ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଏହାର ଯୋଜନା ନିଶ୍ଚିତ ହୋଇଥିଲା । ପ୍ରତିନିଧି ସଭାରେ ନିଷ୍ପତ୍ତି ହୋଇଥିବା ବିଷୟ ଗୁଡିକର ଏହା ଏକ ଛ ମାସିଆ ସମିକ୍ଷା ବୈଠକ । ସାଂଗଠନିକ ଗତିବିଧି ଯେପରିକି ଯୋଜନା, ବିସ୍ତାର, କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଏବଂ ବିଗତ ଅନୁଭୁତିର ଚର୍ଚ୍ଚା ଆଲୋଚନା ହେବ ।
ରିପୋର୍ଟ : ଆକାଶ ମିଶ୍ର