


ଛତ୍ରପୁର (ସମୃଦ୍ଧ ଓଡିଶା) ଆସିକା ଲୋକସଭା ଆସନ ପାଇଁ ରାମକୃଷ୍ଣ ପଣ୍ଡା ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ହଜାର ହଜାର ସମର୍ଥକ ଓ ସିପିଆଇ କର୍ମୀଙ୍କ ହାତରେ ଦଳୀୟ ପତାକା ଧରି ଏକ ବିରାଟ ଶୋଭାଯାତ୍ରା ସହ ଛତ୍ରପୁର ସହର ପରିକ୍ରମା କରିଥିଲେ । ଏହାପରେ ପାର୍ଟି କାର୍ଯ୍ୟାଳୟ ଲକ୍ଷ୍ମଣ ଭବନ ନିକଟରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେହି ସଭାରେ ଶ୍ରୀ ପଣ୍ଡା ତାଙ୍କ ଭାଷଣରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ତୀବ୍ର ସମାଲୋଚନା କରି କହିଥିଲେ ଯେ କଳାଧନ ଫେରାଇ ଆଣିବା, ଲୋକମାନଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ପଠାଇବା ଓ ୫ ବର୍ଷରେ ଦଶ କୋଟି ବେକାର ଯୁବକଙ୍କୁ ଚାକିରୀ ଦେବା ପ୍ରଭୃତି ଫମ୍ପା ପ୍ରତିଶ୍ରୁତି ଥିଲା । ବିଶେଷ କରି ନରେନ୍ଦ୍ର ମୋଦିଙ୍କୁ ସମୟରେ ଦେଶର ନିରାପତା ବିପନ୍ନ ହୋଇଛି ଓ ଦେଶର ଅଖଣ୍ଡତା ପ୍ରତି ବିପଦ ଦେଖାଦେଇଛି । ଏଣୁ ଏ ସରକାର ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ । ଏହି ସାଧାରଣ ସଭା ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ପିସିଆଇ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ପୂର୍ବତନ ସଂପାଦକ ଦିବାକର ନାୟକ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଶ୍ରମିକ ନେତା ସୌରୀବନ୍ଧୁ କର, ସିପିଏମ ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ନୀଳକଣ୍ଠ ଦାସ ଏବଂ ସୁବାସିନୀ ଭଦ୍ର ପ୍ରମୁଖ ଉଦବୋଧନ ଦେଇ ଦା’ ଧାନ କେଣ୍ଡା ଚିହ୍ନରେ ମୋହର ମାରି ରାମକୃଷ୍ଣ ପଣ୍ଡା ଓ ଛତ୍ରପୁର ବିଧାୟକ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ । ସର୍ବଶ୍ରୀ ପ୍ରଶାନ୍ତ ପାଟ୍ଟଯୋଶୀ, ପ୍ରକାଶ ପାତ୍ର, ରାଜୀବ ଲୋଚନ ପଣ୍ଡା, ବୃନ୍ଦାବନ ପୋଳେଇ, ଶ୍ରୀହର୍ଷ ରଥ, ଯୁଧିଷ୍ଠିର ବେହେରା, ବାସୁଦେବ ଗୌଡ଼, କୈଳାସ ପୋଳେଇ, ଗୁରୁନାଥ ପ୍ରଧାନ, ସଂଘମିତ୍ରା ଜେନା ଓ ପୂର୍ଣ୍ଣ ରଥ ପ୍ରଭୃତି ସଭାମଞ୍ଚ ମଣ୍ଡନ କରିଥିବା ବେଳେ ଦଣ୍ଡପାଣି ସାମଲ, ରାଜେନ୍ଦ୍ର ଦାସ, ସୁଦର୍ଶନ ସ୍ୱାଇଁ, ଗୋପାଳ ଭୂୟାଁ, କାମଦେବ ନାହାକ ଓ ସାଇ ଜଗନ୍ନାଥ ପ୍ରଭୃତି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





