


ଆସିକା (ସମୃଦ୍ଧ ଓଡିଶା) ଗତକାଲି ଆଇଆଇସି ସନ୍ତୋଷ କୁମାର ଜେନାଙ୍କ ବଦଳି ପ୍ରତିବାଦରେ ଆସିକା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଅଞ୍ଚଳବାସୀ । ଆସିକା ଅଞ୍ଚଳ ଏକ ଅପରାଧିକ ସହର ରୂପେ ପରିଚିତ ଥିଲା ଯେତେବେଳେ ଶ୍ରୀ ଜେନା ଯୋଗ ଦେଇଥିଲେ ସେହିଦିନ ଠାରୁ ସହରରେ ଅପରାଦ ନିୟନ୍ତ୍ରଣ ସାଙ୍ଗକୁ ୬ରୁ ଅଧିକ ଅପରାଧୀମାନଙ୍କୁ ଏନକାଉନଂଟର କରିବା ସହ ଅନେକ ମାଉଜର ତଥା ବହୁ ପୁରାତନ ହତ୍ୟାକାଣ୍ଡର ଖୁଲାସା କରିଥିଲେ ଓ ଲୋକଙ୍କ ହୃଦୟକୁ ଜିତି ପାରିଥିଲେ । ଶ୍ରୀ ଜେନା ଗତ ତିନି ବର୍ଷ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉନଟର କରିବା ସହ ବିଭିନ୍ନ ହତ୍ୟା, ରାହାଜାନି, ଡ଼କାୟତିମାନଙ୍କୁ କାବୁ କରିବାରେ ସକ୍ଷମ ହୋଇପାରିଥିଲେ ଏବଂ ଚୋରା ବନ୍ଧୁକ ମଧ୍ୟ ଜବତ କରି ଅପରାଧୀମାନଙ୍କୁ ଉଚିତ ଶିକ୍ଷା ଦେଇଥିଲେ । ଏଣୁ ଆସିକା ସହରରେ ଅପରାଧି ଲୋପ ପାଇବାକୁ ବସିଥିଲା । ତିତଲି ବାତ୍ୟାରେ ଦିନ ରାତିକୁ ଏକ କରି ଶ୍ରୀ ଜେନା ଲୋକଙ୍କୁ ଉଦ୍ଧାର କରିବା ସହ ଲୋକମାନଙ୍କ ପାଖରେ କିପରି ସରକାରୀ ସୁବିଧା ପହଞ୍ଚିବ ସେ ନେଇ ଚେଷ୍ଟା କରିଥିଲେ । ବର୍ତ୍ତମାନ ସାଧାରଣ ନିର୍ବାଚନ ଆଗକୁ ଆସୁଥିବା ବେଳେ ପୋଲିସ ଅଫିସରମାନଙ୍କ ଅଦଳ ବଦଳ ପରେ ଆସିକା ଥାନାର ଶ୍ରୀ ଜେନାଙ୍କୁ ରାଉରକେଲାକୁ ବଦଳି ହୋଇଥିବା ନେଇ ଲୋକମାନେ ଜାଣିବା ପରେ ଏହାକୁ ବିରୋଧ କରି ଶ୍ରୀ ଜେନାଙ୍କ ବଦଳିକୁ ସ୍ଥଗିତ ରଖି ପୁଣି ଥରେ ଆସିକା ଥାନାରେ ନିଯୁକ୍ତି କରିବା ପାଇଁ ଲୋକମାନେ ଦାବି କରିଛନ୍ତି । ତେଣୁ ଏନେଇ ଗତକାଲି ଆସିକାକୁ ସଂଯୋଗ କରୁଥିବା ସମସ୍ତ ମୁଖ୍ୟ ରାସ୍ତାକୁ ବନ୍ଦ କରି ଟାୟାର ଜାଳି ରାସ୍ତାରୋକ କରିବା ସହ ପିକେଟିଂ କରିଥିଲେ । ଫଳରେ ଆସିକା ଭଞ୍ଜନଗର ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଏହାପରେ ନିଜେ ଶ୍ରୀ ଜେନା ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝେଇଥିଲେ ଓ ଏକ ମାସ ରହିବି ଏସପିଙ୍କୁ ଜଣାଇବି କହିବାରୁ ରାସ୍ତାରୁ ହଟିଥିଲେ ଅଞ୍ଚଳବାସୀ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


