ଆସ୍ଥା ଭୋଟରେ ହାରିଲେ ପାଇକ ରାମଚନ୍ଦ୍ରପୁର ସରପଞ୍ଚ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ନିର୍ବାଚିତ ମହିଳା ସରପଞ୍ଚଙ୍କ ପ୍ରତି ଦୀର୍ଘଦିନ ଧରି ଲାଗିରହିଥିବା ବିରୋଧାଭାସ ଆଜି ଅନାସ୍ଥା ଭୋଟରେ ପ୍ରତିଫଳିତ ହୋଇଯାଇଛି । ଅନୁଷ୍ଠିତ ଅନାସ୍ଥା ଭୋଟରେ ପଞ୍ଚାୟତର ମୋଟ ୧୮ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଉପସ୍ଥିତ ରହି ସରପଞ୍ଚଙ୍କ ବିପକ୍ଷରେ ଯାଇଥିବା ସୂଚନା ମିଳିଥିବା ସହ ଅନ୍ୟମାନେ ଅନୁପସ୍ଥିତ ରହିଥିବା ଜଣାପଡିଛି । ସମ୍ପ୍ରତି ସାନଖେମୁଣ୍ଡି ବ୍ଲକର ଚର୍ଚ୍ଚିତ ପଞ୍ଚାୟତ ଭାବେ ଗଣାଯାଉଥିବା ପି. ରାମଚନ୍ଦ୍ରପୁରର ଉନ୍ନୟନ ମୂଳକ କାର୍ଯ୍ୟଧାରାରେ ସରପଞ୍ଚଙ୍କ ପ୍ରତି ୱାର୍ଡ ସଭ୍ୟଙ୍କ ଅନାସ୍ଥା ଭାବ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ୱାର୍ଡ ସଭ୍ୟ ସମୂହ ତଳ ଦିନରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଅନାସ୍ଥା ଭୋଟ ପାଇଁ ଦାବି କରିଥିଲେ । ଉପଜିଲ୍ଲାପାଳ ବ୍ରହ୍ମପୁର ଦତ୍ତାତ୍ରେୟ ଭାଉ ସାହେବ ଅଭିଯୋଗ ଗ୍ରହଣକରି ବିଭାଗୀୟ ଅଧିକାରୀଙ୍କ ସହ ବିଚାରବିମର୍ଶ କରିବା ପରେ ଆଜି ଅନାସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ କରିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତରେ ଅନୁଷ୍ଠିତ ଅନାସ୍ଥା ଭୋଟରେ ଦିଗପହଣ୍ଡି ତହସିଲଦାର ଆଦିତ୍ୟ ପ୍ରସାଦ ସ୍ୱାଇଁ ପଠାସିନ ଅଧିକାରୀ ଭାବେ ଉପସ୍ଥିତ ରହି ଅନାସ୍ଥା ଭୋଟ ପରିଚାଳନା କରିଥିଲେ । ସାନଖେମୁଣ୍ଡି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ବୈ ଜୟନ୍ତୀ ମୁଣ୍ଡାଙ୍କ ସଂଯୋଜନାରେ ହୋଇଥିବା ବୁଥ ପରିଚାଳନାରେ ୧୮ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଉପସ୍ଥିତ ରହି ଅନାସ୍ଥା ସପକ୍ଷରେ ମତଦାନ କରିଥିଲେ । ଅନ୍ୟ ସଭ୍ୟ ଅନୁପସ୍ଥିତ ରହିଥିଲେ । ପରିଚାଳନାଗତ ଶୃଙ୍ଖଳା ପାଇଁ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ପାଟପୁର ପୋଲିସ ଥାନା ଶୃଙ୍ଖଳାଗତ ସହାୟତା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା