ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୫ହଜାର ବର୍ଷ ତଳେ ପୌରାଣିକ କିମ୍ବଦନ୍ତି ଅନୁସାରେ ଗଢି ଉଠିଥିବା ରାଇବଣିଆ ଦୁର୍ଗ ଓ ଐତିହାସିକ ତଥ୍ୟ ଅନୁଯାୟୀ ୭ଶହ ବର୍ଷ ପୂର୍ବେ ପ୍ରତିଷ୍ଠା ଲାଭ କରିଥିବା ଏହି ଦୁର୍ଗର ବିକାଶ ଲାଗି ରାଜ୍ୟ ସରକାର ଏବେ ବଦ୍ଧ ପରିକର । ଦୁୁର୍ଗର ଢାଞ୍ଚାରେ ଦକ୍ଷିଣ ଦ୍ୱାର ନିର୍ମାଣ ହେବାଲାଗି ଅର୍ଥ ମଂଜୁର ହୋଇଥିବା ସଂପର୍କରେ ପର୍ଯ୍ୟଟନ, ସଂସ୍କୃତି ଓ ଓଡିଆ ଭାଷା ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ରାଇବଣିଆଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି । ଆଜି ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦୀର୍ଘ ସମୟ ଧରି ରାଇବଣିଆର ଦୁର୍ଗର ବିଭିନ୍ନ ଅଂଚଳ ବୁଲି ଦେଖିଥିଲେ । ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ଦୁର୍ଗ ସମୁହ, ୩ ସ୍ତରର ମାଟି ଓ ପଥରେ ତିଆରୀ ପ୍ରାଚେରୀ, ୩ ସ୍ତରର ଗଡଖାଇ ଏପରିକି ସେଠାରେ ଜଗନ୍ନାଥ ମନ୍ଦିର ଥିବା ପ୍ରମାଣ ମିଳିବାପରେ ନିର୍ମାଣ ହେଉଥିବା ଜଗନ୍ନାଥ ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି । ଏହି ଗସ୍ତବେଳେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଭାରପ୍ରାପ୍ତ ଜିଲାପାଳ ସମ୍ବିତ୍ କୁମାର ନାୟକ, ରାଇବଣିଆ ଗଡ ସୁରକ୍ଷା ଓ ଆଂଚଳିକ ବିକାଶ ପରିଷଦର ସଂପାଦକ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର, ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ଜିଲା ସଂସ୍କୃତି ଅଧିକାରିଣୀ ମନୋସ୍ୱିନୀ ରାଉତ, ଜିଲା ପରିସଂଖ୍ୟନ ଅଧିକାରିଣୀ ମୋନାଲିସା ଜେନ, ସହକାରୀ ବୟନ ନିର୍ଦ୍ଦେଶକ ଗୋଲାପି ଗୋପରାଣି ମୁର୍ମୁ, ପ୍ରଫୁଲ୍ଲ ସୁର, ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କୁ ଗଡ ସୁରକ୍ଷା ଓ ଆଂଚଳିକ ପରିଷର ସଦସ୍ୟମାନେ ବୁଲି ଦେଖାଇଥିଲେ । ନିକଟସ୍ଥ ରାଇବଳିଆର୍ ସିଂ ହାଇସ୍କୁଲ ପରିସରରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ପାତ୍ର ଅଧ୍ୟକ୍ଷତା କରି ପ୍ରାୟ ତାଙ୍କ ପ୍ରଚେଷ୍ଟାରେ ୫୦ଲକ୍ଷ ଟଙ୍କାରେ ରାଇବଣିଆ-ଖୁଆଡ ରାସ୍ତାଠାରୁ ଦୁର୍ଗ ପର୍ଯ୍ୟନ୍ତ କେତେକ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏବେବି ଅଧାପନ୍ଥରିଆ ହୋଇ ନିର୍ମାଣ ହୋଇଥିବା କହିଥିଲେ । ରାସ୍ତା ନିର୍ମାଣ, ବିଦ୍ୟୁତ୍ ଯୋଗାଣ, ବିକ୍ଷିପ୍ତଭାବେ ପଡିଥିବା କଳାକୃତିର ପଥର ଗୁଡିକର ସୁରକ୍ଷା ଓ ଏକ ପାନ୍ଥଶାଳା ନିସର୍ମାଣର ଆବଶ୍ୟକତା ସଂପର୍କରେ କହିଥିଲେ । ଧ୍ୱଂସାଭିମୁଖୀ ଦୁର୍ଗର ୩ଟି ଫାଟକ ଦୁର୍ଗ ଢାଞ୍ଚାରେ ନିର୍ମାଣ କରିବାକୁ ସେ ପୂର୍ବରୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିବାର କହିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଗଡ ସୁରକ୍ଷା ଓ ଆଂଚଳିକ ପରିଷର ପକ୍ଷରୁ ସମ୍ବୋର୍ଦ୍ଧିତ କରାଯାଇଥିଲା ଓ କମିଟିର ପ୍ରତିଷ୍ଠାତା ସଂପାଦକ ଡ. ଶ୍ରୀକାନ୍ତ ଚରଣ ପାତ୍ର ରାଇବଣିଆ ଦୁର୍ଗର ବିଭିନ୍ନ କିମ୍ବଦନ୍ତି, ପୌରାଣିକ ଓ ଐତିହାସିକ ତଥ୍ୟ ଉପସ୍ଥାପନ କରି ଜନ୍ ବିମ୍୍ସ୍, ସ୍ୱର୍ଗତ ଡ. ହରେକୃଷ୍ଣ ମହତାବ, ରାଜଗୁରୁ, କୋଲକତା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ଡ. ଅଶୋକ କୁମାର ମିତ୍ର ଓ ବହୁ ଗବେଷକଙ୍କ ମତ ଉପସ୍ଥାପନ କରି ସେଠାରେ ଏକ ସଂଗ୍ରାହଳୟ, ପାନ୍ଥଶାଳା, ଗଡଖାଇ ଓ ପ୍ରାଚିରର ସୁରକ୍ଷା, ବିଦ୍ୟୁତ୍ କରଣ ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀନକୃଷ୍ଣ ସ୍ମୃତି ପରିଷଦର ସଂପାଦକ ଶ୍ରୀ ବିଶ୍ୱାଳ, ଉପଜିଲାପାଳ ସମ୍ବିତ କୁମାର ନାୟକ, ବରଡିହାର ପୂର୍ବତନ ସରପଂଚ ଅଜୟ କୁମାର ମହାନ୍ତି, ସରପଂଚ ଯତୀନ୍ଦ୍ର ମହାନ୍ତି, ନୃସିଂହ ଦାସମହାପାତ୍ର ପ୍ରମୁଖ ରାଇବଣିଆ ସଂପର୍କରେ କେତେକ ତଥ୍ୟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାଇବଣିଆ ବିକାଶ ଲାଗି ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଓ ସମର୍ଥନ ଲୋଡିଥିଲେ । ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ର୍ଚିଟେକରଙ୍କ ସହ ଆଲୋଚନା କରି ଗଡ ସୁରକ୍ଷା, ସଂଗ୍ରାହଳୟ ଏବଂ ପର୍ଯ୍ୟଟନ ସ୍ଥାନ ଯୋଗୁଁ ରାସ୍ତା ନିର୍ମାଣ, ପାଣି ଓ ବିଦ୍ୟୁତର ସୁବିଧା ହୋଇ ପାରିବ ବୋଲି କହିଥିଲେ । ଇତିହାର ଏହି ସର୍ବବୃହତ୍ ସର୍ବଶ୍ରେଷ୍ଠ ଦୁର୍ଗର ସୁରକ୍ଷା କରାଯିବାଲାଗି ସେ ପ୍ରତିଶୃତି ଦେବାସହ ଗବେଷକ ଡ. ପାତ୍ରଙ୍କର ରାଇବଣିଆର ଦିଗଦିଗନ୍ତର ଦ୍ୱିତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ । ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ଏହାପରେ ମନ୍ତ୍ରୀ ମାକିଡିଆସ୍ଥିତ ଟସର ସମବାୟ ସମିତି ଓ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜନ୍ମ ପୀଠ ମୁଣୁତୁଣୀଆର ବିକାଶ ଲାଗି ବୁଲି ଦେଖିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା