ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଓଡିଶା ପୁରସ୍କୃତ

ଭୁବନେଶ୍ୱର (ଆକାଶ ମିଶ୍ର) – ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଓଡିଶାକୁ ମିଳିଛି ସମ୍ମାନଜନକ ଜେ.ଆର.ଡି ଟାଟା ମେମୋରିଆଲ ପୁରସ୍କାର । ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ଜଗତ୍‍ସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ।ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟର ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଜଗତ୍‍ସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ପଟ୍ଟନାୟକ ।ପରିବାର ନିୟୋଜନ ସହିତ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାକୁ ଏଭଳି ପୁରସ୍କାର ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ସମଗ୍ର ଦେଶରେ ଏ ସଂକ୍ରାନ୍ତରେ ସର୍ବେକ୍ଷଣ କରାଯାଇଥିଲା । ତଦନୁଯାୟୀ ଆମ ରାଜ୍ୟରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ ଓ ଜଗତ୍‍ସିଂହପୁର ଜିଲ୍ଲା ଏଥିରେ ପ୍ରଥମସ୍ଥାନ ଅଧିକାର କରିଥିଲା ।ଗୋଟିଏ ଛୋଟ ପରିବାରରେ ମା ଓ ଶିଶୁ ମାନଙ୍କର ଅଧିକ ଯତ୍ନ ନିଆଯିବା ସହିତ ଲୋକଙ୍କ ସାମାଜିକ ଓ ଆର୍ôଥକ ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥାଏ । ତେଣୁ ପରିବାର ନିୟୋଜନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ।ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ ଅନୁଯାୟୀ ଜଗତ୍‍ସିଂହପୁର ଜିଲ୍ଲାରେ ପରିବାର ନିୟୋଜନ ହାର ସମଗ୍ର ରାଜ୍ୟ ତୁଳନାରେ ଅଧିକ ରହିଛି । ରାଜ୍ୟରେ ୫୭.୩ ପ୍ରତିଶତ ମହିଳା ପରିବାର ନିୟୋଜନ କରାଉଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ତାହା ୬୩.୮ ପ୍ରତିଶତ ଅଛି । ଜିଲ୍ଲାରେ ୪୫.୨ ପ୍ରତିଶତ ମହିଳା ଅତ୍ୟାଧୁନିକ ପରିବାର ନିୟୋଜନ ବ୍ୟବସ୍ଥାକୁ ଆପଣେଇ ନେଉଛନ୍ତି ।ସେହିଭଳି ଡାକ୍ତରଖାନାରେ ଶଶୁ ଜନ୍ମହାର ସମଗ୍ର ରାଜ୍ୟରେ ୮୫.୩ ପ୍ରତିଶତ ଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ଏହି ହାର ୯୭ ପ୍ରତିଶତରୁ ଅଧିକ ରହିଛି । ୫ବର୍ଷ ବୟସରୁ କମ୍‍ ବୟସର ଶିଶୁଙ୍କ ଜନ୍ମ ପଞ୍ଜିକରଣ ହାର ମଧ୍ୟ ଜିଲ୍ଲାରେ ପ୍ରାୟ ୮୭ ପ୍ରତିଶତ ଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନକୁ ନେଇ ଜାତୀୟ ସ୍ତରରେ ପୁରସ୍କୃତ ହେବାପରେ ଜିଲ୍ଲାର ଏଭଳି ସଫଳତାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ପ୍ରଶଂସା କରିଛନ୍ତି ।