ଏଣିକି ସରକାରୀ ଅଧିକାରମାନଙ୍କୁ ଟ୍ରାକିଙ୍ଗ କରିବ ଟେଲିଫୋନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଟେଲିଫୋନ ଏଣିକି ଅଧିକାରମାନଙ୍କୁ ଟ୍ରାକିଙ୍ଗ କରିବ । ଗତ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଏହା କହିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଟେଲିଫୋନ ଠିକ ଅଛି କି ନାହିଁ ତାହା ଦେଖିବା ସହ ଖରାପ ଥିଲେ ସଜାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଟେଲିଫୋନ ନିକଟରରେ ଏକ ରେଜିଷ୍ଟର ରହିବ । କେତେବେଳେ କେଉଁଠାରୁ ଫୋନ ଆସିଲା ତାହା ସେଥିରେ ଉଲ୍ଲେଖ କରାଯିବ । ଯଦି ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବେ ତେବେ ଜଣେ ଦାୟିତ୍ୱ ସମ୍ପନ୍ନ କର୍ମଚାରୀ କଲ ରିସିଭ କରିବେ । କାର୍ଯ୍ୟଧାରା ଉପରେ ଲ୍ୟାଣ୍ଡଲାଇନ ଦ୍ୱାରା ଟ୍ରାକିଙ୍ଗ କରିବା ସୁବିଧାଜନକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ କର୍ମଚାରୀମାନେ ହେଡ଼କ୍ଵାଟର ଛାଡିଲେ ଜିଲ୍ଲାପାଳଙ୍କ ଅନୁମତି ଅନିବାର୍ଯ୍ୟ ବୋଲି କୁହାଯାଇଛି । ଡିସେମ୍ବର ୧୫ ରୁ ୨୦ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଆୟୋଜନ ହେବାକୁ ଥିବା ପିଠା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ବିଡ଼ିଓମାନଙ୍କୁ ଭିଡିଓ କନଫରେନସିଂ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଠା କାର୍ଯ୍ୟକ୍ରମ ପୂର୍ବରୁ ଗାଁ ସଫେଇ ହେବ । ଏଥିରେ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରିବାକୁ କୁହାଯାଇଛି । ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଦ୍ଧିକ ପ୍ରତିଯୋଗିତା ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ଆଦି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯିବ । ବୈଠକରେ ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡ଼ି ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା