ଏନଏସି ଅଧ୍ୟକ୍ଷାଙ୍କୁ ଅନାସ୍ଥା ଡର ?

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ସଫଳତା ହାସଲ କରିବା ସହ ସରକାର ଗଠନ କରିଛି। ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନମଣ୍ଡଳୀକୁ ମଧ୍ୟ ବିଜେପି ଦଖଲ କରିଛି। ନିମାପଡ଼ାରେ ବିଜେପିର ବିଜୟ ପରେ ଖାଲି ରାଜନୈତିକ ସମୀକରଣ ବଦଳିନାହିଁ, ବିଜେଡ଼ି ସମର୍ଥିତ କିଛି ନେତା ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି। ଏଭଳି ସ୍ଥିତିରେ ଏନଏସି ଅଧ୍ୟକ୍ଷାଙ୍କୁ ଅନାସ୍ଥା ଡର ଘାରିଛି। ୧୧ୱାର୍ଡ଼ ବିଶିଷ୍ଟ ଏନଏସିର ମାତ୍ର ଜଣେ ଦୁଇଜଣ କାଉନସିଲର ଅଧ୍ୟକ୍ଷାଙ୍କୁ ସମର୍ଥନ କରୁଥିବା ବେଳେ ବାକି ୯ଜଣ କାଉନସିଲର ବିଜେପି ସମର୍ଥନରେ ରହିଛନ୍ତି। ଅନାସ୍ଥା ହେଲେ ବିନା ଦ୍ୱନ୍ଦ୍ୱରେ ଅଧ୍ୟକ୍ଷାଙ୍କ ଆସନ ଚାଲିଯିବାର ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ ନିମାପଡ଼ା ଏନଏସି ଅଧ୍ୟକ୍ଷା ଅଛନ୍ତି ସସ୍ମିତା ସାହୁ। ବିଜେଡ଼ି ସମର୍ଥିତ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଅଧ୍ୟକ୍ଷାଙ୍କ ଏକଚାଟିଆ ଶାସନ,ମନମୁଖୀ କାର୍ଯ୍ୟ ତଥା ରୁକ୍ଷ ବ୍ୟବହାରରେ ଅତିଷ୍ଠ ହୋଇ କିଛି କାଉନସିଲର ଦଳ ପରିବର୍ତ୍ତନ କରିଥିବା ବେଳେ ମାତ୍ର ଦୁଇଜଣଙ୍କୁ ଛାଡ଼ି ବାକି ସମସ୍ତେ ବିଧାନସଭା ନିର୍ବାଚନ ସମୟରେ ଅଧ୍ୟକ୍ଷାଙ୍କ ହାତ ଛାଡି ଦେଇଥିଲେ। ରାଜ୍ୟରେ ବିଜେଡ଼ି ଧରାଶାୟୀ ହେବାପରେ ଅନେକ ଯାଗାରେ ନିର୍ବାଚିତ ପ୍ରତିନିଧିମାନେ ପୂର୍ବଦଳ ଛାଡ଼ି ଶାସକଦଳ ମୁହାଁ ହେଉଥିବା ବେଳେ ନିମାପଡ଼ା ଏନଏସି ଅଧ୍ୟକ୍ଷା ଦଳ ପରିବର୍ତ୍ତନ ନକରି ଯେମିତି ଚାଲିଛି ଚାଲୁ ନୀତିରେ ବିକାଶକୁ ଆଗେଇ ନେବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି। ରାଜନୀତିରେ ସମ୍ପୂର୍ଣ୍ଣ ଅଭିଜ୍ଞତା ନଥିବା ଅଧ୍ୟକ୍ଷା ଅନାସ୍ଥା ଡରରେ ଏଭଳି କାର୍ଯ୍ୟ କରୁଥିବା ଆଲୋଚନା ହେଉଛି। ଏଥିମଧ୍ୟରେ ଏନଏସି ଅଧ୍ୟକ୍ଷା ଅନେକ ଥର ଗୁପ୍ତ ବୈଠକ ଡାକି କାଉନସିଲର ମାନଙ୍କୁ ଏକାଠି କରିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନଥିବା ଜଣାପଡିଛି। ଏନଏସିରେ ବିକାଶଧାରାକୁ ଆଗେଇ ନେବାକୁ ହେଲେ ବିଜେଡ଼ି ସମର୍ଥିତ ଏନଏସି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ତାଙ୍କୁ ତୁରନ୍ତ ବହିଷ୍କାର କରି ଉଚିତ ପଦକ୍ଷେପ ନେବାକୁ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିପ୍ରତି ଦୃଷ୍ଟି ଦେବାକୁ ପୌରବାସୀ ଦାବି କରିଛନ୍ତି।

ରିପୋର୍ଟ : ରଜତ ମହାପାତ୍ର