ଏନଜିଟି ନିର୍ଦ୍ଦେଶରେ ବନ ଜୈବ ବିବିଧତା ଅନୁଷ୍ଠାନର ସୁବର୍ଣ୍ଣରେଖା ନଦୀ ତଟବର୍ତ୍ତି ଅଞ୍ଚଳରେ ଛାନଭିନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୯୦ ମସିହାଠାରୁ ସୁବର୍ଣ୍ଣରେଖା ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗ ଓ ବାଲେଶ୍ୱର ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ ବେଳେ ସରକାରଙ୍କ ରାଜସ୍ୱ, ଖଣି, ପରିବେଶ, ଜଙ୍ଗଲ, ମତ୍ସ୍ୟ, ଉଠାଜଳସେଚନ, ପ୍ରଦୂଷଣ, ଜଳସେଚନ ବିଭାଗର ନିୟମ ପ୍ରତି ଖୋଲାଖୋଲି ଉଲଙ୍ଘନ କରାଯାଇ ଆସୁଛି । ଏଥିନେଇ ପଶ୍ଚିମବଙ୍ଗ ଓ ଓଡିଶାର ରାଜ୍ୟ ସରକାର ତଥା ବାଲେଶ୍ୱର ଓ ତତ୍କାଳୀନ ମେଦିନୀପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନଥିଲେ । ତେଣୁ ଆଗାମୀ ଓଡିଶା ସଂସ୍ଥା ପକ୍ଷରୁ ଏନଜିଟିର ଆବେଦନ କରାଯାଇଥିଲା । ଏଥିରେ ସୁବର୍ଣ୍ଣରେଖାର ପରିସ୍ଥିତି ସଂପର୍କରେ ଏନଜିଟି ଅବଗତ ହେବାପରେ ଏହାର ବିଭିନ୍ନ ଦିଗ ସଂପର୍କରେ ପଦକ୍ଷେପ ଗ୍ରହଣ କରିଥିଲେ । ଦୀର୍ଘ ୨ବର୍ଷ ଧରି କୋଲକତା, ନୂଆଦିଲ୍ଲୀ, ଭୂବନେଶ୍ୱର ସ୍ଥିତ କେତେକ ବରିଷ୍ଠ ଅଧିକାରୀ ସୁବର୍ଣ୍ଣରେଖା ନଦୀର କୂଳବର୍ତ୍ତୀ ଇଲାକାରେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ୨୮-୧୧-୨୦୧୯ରେ ହାଇଦ୍ରାବାଦ ସ୍ଥିତ ବନ ଜୈବ ବିବିଧତା ସଂସ୍ଥାର ନିର୍ଦ୍ଦେଶକ ଡି. ଜୈପ୍ରସାଦ ବାଲେଶ୍ୱର ଓ ପଶ୍ଚିମମେଦିନୀପୁର ଜିଲ୍ଲାର ଜିଲାପାଳଙ୍କୁ ଯୁଗ୍ମ ଅନୁଧ୍ୟାନ ପାଇଁ ଚିଠି ଲେଖିଥିଲେ । ସେହି ଅନୁଯାୟୀ ଡିସେମ୍ବର ୩ ଓ ୪ ତାରିଖରେ ଉଭୟ ୨ ଜିଲ୍ଲାର ବିଭିନ୍ନ ସଂସ୍ଥାର ଅଧିକାରୀମାନଙ୍କ ଦ୍ୱାରା ସୁବର୍ଣ୍ଣରେଖା ନଦୀତଟ ଅଂଚଳ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଥିବାରୁ ଅଧିକାରୀମାନେ ସକାଳ ୭ଟାରେ ଜଳେଶ୍ୱର ତହସିଲ ଅଫିସ ନିକଟରେ ଏକତ୍ରୀତ ହୋଇଥିଲେ । ସେଠାରୁ ସେମାନେ ରାଇବଣିଆ ଥାନା ଅନ୍ତର୍ଗତ ବିଳାସପୁର, ମାକିଡିଆ, କୁଅଁରପୁର, ଦକ୍ଷିଣ ପ୍ରହରାଜପୁର, ପ୍ରହରାଜପୁର, ବେହେରାସାହି, ତୋଟାପଡା, ମକ୍ରମପୁର ଅଞ୍ଚଳରେ ଥିବା ନଦୀତଟ ଗୁଡିକୁ ବୁଲି ଦେଖିଥିଲେ । ବେଆଇନ୍ ଖଣି ଉତ୍ତୋଳନ ଦ୍ୱାରା ପରିବେଶ ସଂନ୍ତୁଳନ କିପରି ନଷ୍ଟ ହେଉଛି ତାହା ସଂପର୍କରେ ବିସ୍ତୃତ ଅନୁଧ୍ୟାନ କରିଥିଲେ । ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଏସ୍ଡିପିଓ ଉମେଶ ଚନ୍ଦ୍ର ପଣ୍ଡା, ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ, ରାଇବଣିଆ ଏଏସ୍ଆଇ ଭଗବାନ ଦାସ, ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅଭିମନ୍ୟ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ, ବନବିଭାଗର ସହକାରୀ ବନ ସଂଗ୍ରକ୍ଷକ ସମୀର କୁମାର ସାହୁ, ଜଳେଶ୍ୱର ରେଞ୍ଜର ଦେବେନ୍ଦ୍ର କୁମାର ପାତ୍ର, ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ଜଗବଂଧୁ ବେହେରା, ପ୍ରଦୂଷଣ ବିଭାଗର ସହକାରୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଇଂ ଅଜୟ ମହାନ୍ତି ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ହାଇଦ୍ରାବାଦରୁ ଆସିଥିବା ଇଣ୍ଡିଆନ୍ କାଉନସିଲର ଅଫ ଫରେଷ୍ଟ ରିସର୍ଚ ଏଜୁକେସନ୍ ଦ୍ୱାରା ପରିଚାଳିତ ବନ ଜୈବ ବିବିଧତା ସଂସ୍ଥାର ୬ଜଣିଆ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ । ପ୍ରକାଶଯୋଗ୍ୟ ଗତ ୪-୯-୨୦୧୮ରେ ଏନ୍ଜିଟି ଦେଇଥିବା ନିର୍ଦ୍ଦେଶରେ ଆଧାରରେ ଅଧିକାରୀମାନେ ଓଡିଶା ସୀମା ସୁବର୍ଣ୍ଣରେଖଶ ନଦିତଟ ଅଞ୍ଚଳ ବୁଲି ଦେଖିଥିଲେ । ଅପରାହ୍ନରେ ଏହି ୬ଜଣିଆ ଟିମ୍ ବାଲେଶ୍ୱର ଉପଜିଲାପାଳ, ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ସହିତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ସୁବର୍ଣ୍ଣରେଖା ତଟବର୍ତ୍ତୀ ଅଞ୍ଚଳ ବୁଲି ଦେଖଲା ବେଳେ ସେମାନଙ୍କ ସହିତ ପଶ୍ଚିମବଙ୍ଗର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ପରିବେଶ ପ୍ରଦୂଷଣ ଅଧିକାରୀ, ହଳଦିଆସ୍ଥିତ ପଦୂଷଣ କଣ୍ଟ୍ରାଲ ବୋର୍ଡର ପିକେ ମଣ୍ଡଳ ଓ ଏଲ କେ ହାଲଦାରଙ୍କ ସମେତ ବ୍ଲକ ଏଣ୍ଡ ଲେଣ୍ଡ ଏକ୍ୟୁଜିସନ୍ ଅଧିକାରୀ ଉପସ୍ଥିତ ଥିବାର ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା