ଏନସିସି ଦିବସ ପାଳିତ : ଶୃଙ୍ଖଳା ଓ ନୈତିକତା ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନୂଆବଜାରସ୍ଥିତ ଜଳେଶ୍ୱର ଉଚ୍ଚ ନୋଡାଲ ବିଦ୍ୟାଳୟ ପରିସରରେ ପ୍ରତିବର୍ଷ ପରି ଚଳିତବର୍ଷ ଏନ୍ସିସି ଟ୍ରୁପ୍ସ ୧୫୦ (ଏ) ର ଏନ୍ସିସି ଦିବସ ପାଳିତ ହୋଇ ଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ସମ୍ମିଳିତ ଛାତ୍ରଛାତ୍ରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିବା ସହିତ ସେମାନେ ଶୃଙ୍ଖଳିତ ଓ ନୈତିକତା କୁ ପାଥେୟ କରିବାକୁ ପରାମର୍ଶ ଦେଇଥିଲେ । ଏନ୍ସିସି ର କ୍ୟାଡେଟ୍ମାନେ ଆଗାମୀଦିନ ପାଇଁ ଦେଶ ମାତୃକାଲାଗି ସମର୍ପିତ ହୋଇଥାନ୍ତି ବୋଲି ସେ କହିଥିଲେ । ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ ଜଳେଶ୍ୱରର ଏନ୍ସିସି କ୍ୟାଡେଟ୍ମାନେ ଅତୀତରେ କିପରି ଅଧିକ ଶୃଙ୍ଖଳା ଓ ନୈତିକତାକୁ ଗୁରୁତ୍ୱ ଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି ତାର ନମୁନା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୭ ଓଡିଶା ବିଏନ୍ ଏନ୍ସିସିର ପ୍ରତିନିଧି ତପନ କୁମାର ପାଳ ଯୋଗ ଦେଇ ସରକାରଙ୍କ ନିତୀ ନିୟମ ଅନୁଯାୟୀ ବିଭିନ୍ନ ବିଦ୍ୟାଳୟରୁ ଏନ୍ସିସି ଲୋପ ପାଉଥିବା ବେଳେ ଉତ୍ତର ବାଲେଶ୍ୱରରେ ଜଳେଶ୍ୱର ଏପରି କାର୍ଯ୍ୟକ୍ରମକୁ ବଂଚାଇ ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁଥିବା କହିଥିଲେ । ପରିଚାଳନା କମିଟିର ସଦସ୍ୟ କମଳ ଚକ୍ରବର୍ତ୍ତୀ, ଅଶୋକ ଦାସ, ଗିରିଶଚନ୍ଦ୍ର ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ଭୂୟାଁ, ଶ୍ରୀକାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପୂର୍ବତନ ସିଟିଓ ହରେକୃଷ୍ଣ ଜେନା ସୂଚନା ପ୍ରଦାନ କରିଥିଲେ । ଏଥିରେ ବର୍ତ୍ତମାନର ସିଟିଓ ସିଦେ୍ଧଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ୟାଡେଟ୍ ବନ୍ଦିତା ଜେନା ଓ ଦୀପଶିକ୍ଷା ରଣା ଅତିଥି ମାନଙ୍କୁ ମଂଚ ଆହ୍ୱାନ କରିଥିଲେ । କେଡେଟ୍ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା