ଏପ୍ରିଲରୁ ଖାଲିପଡ଼ୁଛି ଚାରି ରାଜ୍ୟସଭା ଆସନ: ଆସନ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଜା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟସଭାରେ ଖାଲି ପଡୁଥିବା ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହୋଇପାରେ । ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ୩ ଜଣ ସାଂସଦ ନରେନ୍ଦ୍ର ସ୍ୱାଇଁ (ବିଜେଡି), ସରୋଜିନୀ ହେମ୍ବ୍ରମ୍ (ବିଜେଡି) ଓ ରଂଜୀବ ବିଶ୍ୱାଳ (କଂଗ୍ରେସ)ଙ୍କର କାର୍ଯ୍ୟକାଳ ସରୁଛି। ଗତ ସାଧାରଣ ନିର୍ବାଚନରେ ରାଜ୍ୟସଭା ଛାଡି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ଷେ କାର୍ଯ୍ୟକାଳ ନଥିବା ପରିପ୍ରେକ୍ଷୀରେ ଏହି ଆସନରେ ଉପ ନିର୍ବାଚନ ହୋଇନାହିଁ । ଅର୍ଥାତ୍ ଏହି ଆସନ ସେବେଠାରୁ ଖାଲି ରହିଛି। ବିଧାନସଭାରେ ବିଜେଡିର ସର୍ବାଧିକ ୧୧୩ ଜଣ ବିଧାୟକ ଅଛନ୍ତି । ବିଜେପି ସଦସ୍ୟଙ୍କ ସଂଖ୍ୟା ୨୩, କଂଗ୍ରେସ ୯ ଓ ଜଣେ ସ୍ୱାଧୀନ ବିଧାୟକ ଏବଂ ଜଣେ ବାମଦଳ ଦଳ ବିଧାୟକ ଅଛନ୍ତି । ରାଜ୍ୟସଭା ଗଣିତ ଅନୁସାରେ, ଗୋଟିଏ ଆସନ ଜିତିବା ଲାଗି ଜଣେ ପ୍ରାର୍ଥୀଙ୍କୁ ୩୦ଜଣ ବିଧାୟକଙ୍କ ସମର୍ଥନ ଦରକାର । ଅତଏବ, ବିଜେଡି ଅନାୟାସରେ ୩ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇପାରିବ ଓ ଚତୁର୍ଥ ଆସନ ଲାଗି ବିଜେଡିକୁ ଆଉ ୭ଜଣ ସଦସ୍ୟଙ୍କ ସମର୍ଥନ ଦରକାର ।

ରିପୋର୍ଟ : ଆକାଶ ମିଶ୍ର