ଏବେ ଏବେ ସେ

ତମାମ ଡହକା ଗ୍ରୀଷ୍ମରେ
ନା ଘାସ ନା ଅନାଵନା ଗଛ
ଉପହାର ଦେବାକୁ କଅଣ ଥାଏ ଯେ ମାଟିର
ମାଟି ନିଜେ ତ ତୃଷାର୍ତ୍ତ
ଆଉ କେଉଁ ସବୁଜିମା ର ଜ୍ୟାମିତି
କେଉଁ ମଞ୍ଜି ପାଇଁ ଜରାୟୁ
ଖାଲି ଯା ଧୂଳି ଉଡେ
ଦୀର୍ଘଶ୍ଵାସ ଯେମିତି;
ପବନରେ ଗଛ ଆର୍ତ୍ତନାଦ କରେ
ସତେକି ମଣିଷର ମତି ।

ଲଗାଣ ବର୍ଷାରେ
ଉଛୁଳେ ଅସଂଯତ ଅସମ୍ଭାଳ ନଈ
ହିତାହିତ ଜ୍ଞାନ ହରାଇଥିବା
ଭୟଙ୍କର ଶକ୍ତି
କିଛିବି ନାହିଁ
ଆଦ୍ୟ ଶରତ ର ଶାନ୍ତ ସ୍ନେହ ଦାବି
କରୁଥିବା ସ୍ୱଚ୍ଛ ସୁଅ ଟିଏ ଯାହା
ଆହାଃ ବର୍ଷା ୠତୁ ର
ଉଗ୍ର ଧ୍ୱଂସାତ୍ମକ ନଈ
ଆଜି ଗ୍ରୀଷ୍ମର ଦରିଦ୍ର ଫକୀର !
ନିର୍ଦ୍ଦିଷ୍ଟ ଯିବ ସେ କୁଆଡେ
ଗତି ତାର କେଉଁ ଦିଗକୁ
କେମିତି ପାଲଟି ଗଲା ସେ
କ୍ରୁଶବିଦ୍ଧ ଆଵସ୍ଥା
ଅପାରଗତା ଅସଫଳତା ଭିତରେ
ସ୍ଥାଣୁ ନା ସ୍ଥବିର
ଯେତେଥର ପଚାରିଲେ ନିରବ ନିଥର
ଏଇ ବୋଧେ ତାର ଶେଷ ଉତ୍ତର

ତପସ୍ୱିନୀ ଦାଶ
ବାରିପଦା