ଏବେ ବି ମିଳିନି ଚାଷୀଙ୍କୁ ତିତଲୀ ବାତ୍ୟା କ୍ଷତିପୂରଣ:ପେନସନ୍,ତିତିଲି କ୍ଷତିପୂରଣ ଦାବିରେ ନବନିର୍ମାଣ କୃଷକ ସଂଗଠନର ଉପବାସ ଓ ଧାରଣା…

ଛତ୍ରପୁର(ସମୃଦ୍ଧ ଓଡିଶା )ଗତ ତିତଲୀ ବାତ୍ୟା କ୍ଷତି ପୂରଣ ଚାଷୀଙ୍କୁ ଦିଆ ସାରିଲାଣି ବୋଲି ଡିଣ୍ଡିମ ପିଟୁଥିବା ବେଳେ  କ୍ଷତି ପୂରଣ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଉପବାସ  ଓ ଧାରଣା ଦିଆଯାଇଥିବା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ତିତଲୀ ବାତ୍ୟା ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ ବିପନ୍ନଙ୍କୁ କ୍ଷତି ପୂରଣ ଦିଆ ଯାଇନଥିବା ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିବାବେଳେ ନବ ନିର୍ମାଣ କୃଷକ ସଂଗଠନର ଉପବାସପୂର୍ଣ ଧାରଣା ସରକାର ତଥା ପ୍ରଶାସନକୁ ଅଡୁଆରେ ପକାଇଛି। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚଳାଇଥିବା ଅନଶନକୁ ସମର୍ଥନ କରି ଗଂଜାମ ଜିଲ୍ଲା ପ୍ରଭାରୀ ସଚିନ୍ ମହାପାତ୍ରଙ୍କ ନେତୃତ୍ୱରେ ଏହି ଅନଶନ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଭିନ୍ନ ଦାବି ତଥା ଚାଷୀଙ୍କୁ ପେନସନ୍ ସହ ତିତିଲିରେ ଘଟିଥିବା କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ପେନସନ୍ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅନଶନରେ ଜିଲ୍ଲା ଉପଦେଷ୍ଟା ରମେଶ ଚନ୍ଦ୍ର ବିର,ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର,ଖଲ୍ଲିକୋଟ ବ୍ଲକ୍  ଉପଦେଷ୍ଟା କିଶୋର ଚନ୍ଦ୍ର ସାହୁ,ନାଗେଶ୍ୱର ଚାନ୍ଦ,ଲକ୍ଷ୍ମୀଧର ସାହୁ,ପ୍ରଫୁଲ ଚନ୍ଦ୍ର ଗୌଡ଼,ନାଗରି ବେହେରା,ବିଜୟ ଜେନା ପ୍ରମୁଖ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା