

ବେଲଗୁଣ୍ଠା (ସମୃଦ୍ଧ ଓଡିଶା) ପାଇଲିପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପର ତୃତୀୟ ସ୍ଵନକ୍ଷତ୍ର ଦିବସ ଅବସରରେ ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଅଧ୍ୟାପକ ବି. ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ଗତକାଲି ନୋଡାଲ୍. ଉ.ପ୍ରା.ବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ରକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ ମହିଳାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ୮ଜଣ ଦମ୍ପତିଙ୍କ ମିଳିତ ହସ୍ତରେ ଶିବିରକୁ ଉଦଘାଟନ କରାଯାଇଥିଲା । ଏହି ଶିବିରରେ ୧୬ଜଣ ମହିଳାଙ୍କ ସମେତ ମୋଟ ୫୫ ୟୁନିଟ୍ ରକ୍ତ ସଗୃହୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୮ଜଣ ଦମ୍ପତି, ୪ଜଣ ମହିଳା ରକ୍ତଦାତା ଓ ୭ଜଣ ପୁରୁଷ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଧାୟକ ପୂର୍ଣ୍ଣ ସ୍ୱାଇଁ, ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି ତଥା ଯୁବ ସମାଜସେବୀ କେ.ରବୀନ୍ଦ୍ର କୁମାର ପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ମିଶ୍ର, ଗାଙ୍ଗପୁର ଥାନା ଅଧିକାରୀ ଧିରେଶ ଦାସ, ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ଶୀୟ, ସମାଜସେବୀ ଗୋରାଚାନ୍ଦ ସ୍ୱାଇଁ ଆଦି ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଗ୍ରୁପର ଉପଦେଷ୍ଟା ଦ୍ବୟ ରାମ ନାରାୟଣ ପଣ୍ଡା ଓ ସନିତ୍ କୁମାର ଜେନା ଆଦି ଉପସ୍ଥିତ ଥିଲେ । ଏହି ଶିବିରରେ ରେଷ୍ପଣ୍ଡ ଟ୍ରଷ୍ଟ ତରଫରୁ କୋଭିଡ୍ ସୁରକ୍ଷା ନିମିତ୍ତ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ଜନିତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏଭର୍ ଗ୍ରୀନର ସମସ୍ତ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଯୁବ ପୀଢ଼ିଙ୍କ ଏହିଭଳି ଜନ ମଙ୍ଗଳ କାର୍ଯ୍ୟକ୍ରମକୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନ ଓ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।