
କାଲିମେଳା : ଲଗାଣ ବର୍ଷାରେ ପୁଣି କାଲିମେଳା ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଗତକାଲି ରାତିରୁ କାଲିମେଳା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଆଜି ସକାଳେ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୬ ଗ୍ରାମ ନିକଟରେ ଥିବା ପୋଲ ଉପରେ ପ୍ରାୟ ୨ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା। ଗତକାଲି ରାତିରୁ ୨୪ଘଣ୍ଟା ମଧ୍ୟରେ କାଲିମେଳା ଅଞ୍ଚଳରେ ମୋଟ ୩୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ପୋଲ କମ୍ ଉଚ୍ଚତାରେ ଥିବାରୁ ସାମାନ୍ୟ ବର୍ଷା ହେଲେ ପୋଲଟି ବୁଡ଼ିଯାଏ। ତେବେ ଆଜି ସକାଳୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ମୋଟୁରୁ ଜୟପୁର, ମାଲକାନଗିରି, କାଲିମେଳା ଓ ପଡ଼ିଆକୁ ଯୋଗାଯୋଗ ବନ୍ଦ ରହିଥିଲା। ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷକମାନେ ଯାଇ ନପାରି ଫେରି ଆସିଥିଲେ। ତେବେ କେତେକ ଲୋକ ବିପଦପୂର୍ଣ୍ଣ ଭାବରେ ପୋଲ ଉପରେ ବାଇକ ଧରି ଚାଲି ଚାଲି ଆସୁଥିବା ଦେଖାଯାଇଥିଲା।
କାଲିମେଳା ଅଞ୍ଚଳରେ ବାରମ୍ବାର ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସାମାନ୍ୟ ବର୍ଷା ହେଲେ ପୋଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଓ ଏମଭି-୯୦, ଏମଭି-୯୬ ପୋଲ ବୁଡ଼ି ରହୁଥିବାରୁ ମାଲକାନଗିରିରୁ ମୋଟୁକୁ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ସଂପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଥାଏ। ତେବେ ଗତ ଏକ ସପ୍ତାହ ମଧ୍ୟରେ କାଲିମେଳାରେ ମୋଟ ୨୦୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏଥି ମଧ୍ୟରୁ ୧୬ ତାରିଖ ଦିନ ସର୍ବାଧିକ ୯୩ ମିମି ବର୍ଷା ହୋଇଥିଲା। ସେହିଦିନ ମଧ୍ୟ ପୋଟେରୁ, କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ବୁଡ଼ିଯିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା। ତେବେ ଏହି ରାସ୍ତାରେ ତଳୁଆ ଥିବା ପୋଲଗୁଡ଼ିକୁ ଭାଙ୍ଗି ଉଚ୍ଚ ପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିବା ଜାଣିବାକୁ ମିଳିଛି।