

ପୁରୀ (ସମୃଦ୍ଧ ଓଡିଶା) ଏଥର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ନୂଆ ଝଲକ ଦେଖିବାକୁ ମିଳିବ ଖବର ମିଳିଛି । ସୂଚନା ଅନୁଯାଇ ଏହି ବର୍ଷ ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ । ଏହି ଫୁଲ ସଜା ମନ୍ଦିର ପ୍ରଶାସନ କରିବ ନାହିଁ, ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ୱ ନେବେ । ଏହାର ସମସ୍ତ ଖର୍ଚ୍ଚ ସେ ବହନ କରିବେ । ଦିଲ୍ଲୀ ନିବାସୀ କେକେ ଶର୍ମା ନାମକ ଜଣେ ଭକ୍ତ ଶ୍ରୀମନ୍ଦିରରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ଶ୍ରୀ ଶର୍ମା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଫୁଲରେ ସଜାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ଫୁଲରେ ସଜାଇବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲରେ ସଜାଇବେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେତେ ଦିନ ଠାକୁର ରହିବେ ସବୁ ଦିନ ଏହା ଫୁଲରେ ସଜ୍ଜା ହେବ । ଏହି ଦାୟିତ୍ୱ ଶ୍ରୀ ଶର୍ମା ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଶ୍ରୀ ଶର୍ମା ଦିଲ୍ଲୀର ୨୦୦ରୁ ଅଧିକ ଫୁଲ ସଜାଇବା କାରିଗର ନେଇ ଆସିଛନ୍ତି । ଏମାନେ ଆସନ୍ତାକାଲିଠାରୁ କାମ ଆରମ୍ଭ କରିବେ । ସେହିଭଳି ସୁନାବେଶ ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ସଜା ହେବ । ଏହାର ସମସ୍ତ ଖର୍ଚ୍ଚ ଶ୍ରୀ ଶର୍ମା ବହନ କରିବେ । ଏଥିପାଇଁ ସେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇଛନ୍ତି । ତେବେ ଏହି ଫୁଲ ସଜାରେ ୧୫ରୁ ୨୦ ଟ୍ରିପ୍ ଫୁଲ ଲାଗିବ ଓ ଆନୁମାନିକ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ଦାମୋଦର ପାଢ଼ୀ





