ଏହି ସବୁ ଘରୋଇ ଉପାୟକୁ ଆପଣାନ୍ତୁ ପାଇ ପାରିବେ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି…

(ସମୃଦ୍ଧ ଓଡିଶା) ଦାନ୍ତ ଯନ୍ତ୍ରଣାର କାରଣ ଯାହା କିଛି ବି ହୋଇଥାଉ ନା କାହିଁକି, ଏହା ଖୁବ୍‌ ଅସହ୍ୟ ହୋଇଥାଏ । ଦାନ୍ତରେ ଯନ୍ତ୍ରଣା ହେବାର ଅନେକ କାରଣ ହୋଇପାରେ । ଅଧିକାଂଶ ଲୋକଙ୍କ ଦାନ୍ତ ପୋକ ଖାଇଯାଏ । ତେଣୁ ଏହା ବିନ୍ଧେ । ସେହିପରି କ୍ୟାଲ୍‌ସିୟମ୍ ଅଭାବରୁ ଦାନ୍ତ ଓ ମାଢ଼ିରେ ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ଯନ୍ତ୍ରଣା ଏତେ ଅସହ୍ୟ ହୋଇଯାଏ ଯେ, ଲୋକେ ପେନ୍‌ କିଲର୍ ଖାଆନ୍ତି । ଦାନ୍ତ ଯନ୍ତ୍ରଣା ପ୍ରଥମେ ଅଳ୍ପ ଅଳ୍ପ ହୋଇଥାଏ । ଠିକ୍ ସମୟରେ ଏହାର ଚିକିତ୍ସା ନକଲେ ପରେ ଏହା ବଢ଼ିଯାଏ । ସେହିପରି ଠିକ୍‌ ସମୟରେ ଏହାର ଚିକିତ୍ସା ନକଲେ ଏହା ମସ୍ତିଷ୍କର ଶିରାକୁ ମଧ୍ୟ ଦୁର୍ବଳ କରିଦିଏ । ତେବେ ଯଦି ଆପଣ କେତେବେଳେ କୌଣସି କାରଣରୁ ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ପାଖରେ କୌଣସି ଔଷଧ ନାହିଁ, ତା’ହେଲେ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ଆପଣାଇ ପାରିବେ । ଏସବୁ ଜିନିଷ ସାଧାରଣତଃ ସମସ୍ତଙ୍କ ଘରେ ନିଶ୍ଚିତ ଉପଲବ୍ଧ ଥାଏ । ଆସନ୍ତୁ ଜାଣିବା –
୧. ହେଙ୍ଗୁ : ମୌସୁମୀ ରସରେ ହେଙ୍ଗୁ ମିଶାଇ ପେଷ୍ଟ୍‌ ତିଆରି କରନ୍ତୁ । ଏହି ପେଷ୍ଟକୁ ଯନ୍ତ୍ରଣା ହେଉଥିବା ଦାନ୍ତ ପାର୍ଶ୍ୱରେ ଲଗାଇ ୧୫ରୁ ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ । ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ଏହା ସବୁଠାରୁ ଶସ୍ତା ଓ ସହଜ ଉପାୟ ।
୨. ଲବଙ୍ଗ : ଏହା ବ୍ୟାକ୍ଟେରିଆ ଓ ଅନ୍ୟ କୀଟାଣୁକୁ ନାଶ କରି ଦାନ୍ତରେ ହେଉଥିବା ଯନ୍ତ୍ରଣା କମ୍‌ କରିଥାଏ । ଯେଉଁ ଦାନ୍ତରେ ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେଉଛି, ସେହି ଦାନ୍ତରେ ଆପଣ ଏକ ଲବଙ୍ଗକୁ ଚାବି ରଖନ୍ତୁ ।
୩. ପିଆଜ : ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ପିଆଜ ଏକ ଉତ୍ତମ ଘରୋଇ ଉପଚାରର ମାଧ୍ୟମ । ଯେଉଁ ଲୋକମାନେ ପ୍ରତ୍ୟେକ ଦିନ କଞ୍ଚା ପିଆଜ ଖାଆନ୍ତି, ସେମାନଙ୍କର ପିଆଜ ଖାଉ ନ ଥିବା ଲୋକଙ୍କ ତୁଳନାରେ ଦାନ୍ତରେ କମ୍ ଯନ୍ତ୍ରଣା ହୋଇଥାଏ । ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି, ତେବେ ପିଆଜ ଚୋବାନ୍ତୁ କିମ୍ବା ଏହାକୁ ଦାନ୍ତ ପାଖରେ ଲଗାଇ ରଖନ୍ତୁ । ଏପରି କରିବା ଦ୍ୱାରା କିଛି ସମୟ ମଧ୍ୟରେ ଆପଣ ଆରାମ୍‌ ଅନୁଭବ କରିବେ ।
୪. ରସୁଣ : ରସୁଣରେ ଆଣ୍ଟିବାୟୋଟିକ୍‌ ଗୁଣ ରହିଛି, ଯାହା ଅନେକ ପ୍ରକାରର ସଂକ୍ରମଣ ସହିତ ଲଢ଼ିବା ପାଇଁ କ୍ଷମତା ରଖେ । ଦାନ୍ତରେ ଯନ୍ତ୍ରଣା ସମୟରେ ଦୁଇ ତିନୋଟି ରସୁଣ କୋଳା କଞ୍ଚା ଚୋବାନ୍ତୁ । ଆପଣ ଚାହିଁଲେ ରସୁଣ କାଟି କିମ୍ବା ବାଟି ଯନ୍ତ୍ରଣା ହେଉଥିବା ଦାନ୍ତରେ ଲଗାଇପାରିବେ ।
୫. ଲୁଣ ପାଣି : ଗରମ ପାଣିରେ ଲୁଣ ମିଶାଇ କୁଳି କରିବା ଦ୍ୱାରା ମଧ୍ୟ ଦାନ୍ତ ଯନ୍ତ୍ରଣା ଓ ଦାନ୍ତ ମୂଳ ଫୁଲା ଜନିତ ପୀଡ଼ାରୁ ଆରାମ ମିଳିଥାଏ । ଏହି ପାଣି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍‌ ମାଉଥ୍‌ୱାଶ୍‌ ଭଳି କାମ କରେ । କୁଳି କରିବାବେଳେ ଧ୍ୟାନ ରଖନ୍ତୁ ଅତିକମ୍‌ରେ ୩୦ ସେକେଣ୍ଡ ଏହି ପାଣି ପାଟି ଭିତରେ ରହିବା ଦରକାର ।
ଧ୍ୟାନ ଦେବା ଜରୁରୀ :
– ଯଦି ଦାନ୍ତ ପୋକ ଖାଇଛି, ତା’ହେଲେ ମିଠା, ଚକୋଲେଟ୍‌ ଓ ମାଂସ ଆଦି ଖାଆନ୍ତୁ ନାହିଁ । ସେହିପରି ଥଣ୍ଡା ପାନୀୟ ସେବନରୁ ଦୂରେଇ ରୁହନ୍ତୁ। ନ ହେଲେ ଦାନ୍ତରେ ଯନ୍ତ୍ରଣା ହୁଏ । ସେହିପରି ରାତିରେ ବ୍ରଶ୍ କରି ଶୁଅନ୍ତୁ ।
– ଯେଉଁମାନଙ୍କ ଦାନ୍ତରେ କିଛି ସମସ୍ୟା ନାହିଁ ସେମାନ ବି ରାତିରେ ଶୋଇବା ପୂର୍ବରୁ ବ୍ରଶ୍‌ କରିବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଦାନ୍ତ ସଫା ରହେ ଓ ସୁସ୍ଥ ରହେ । ପୋକ ଖାଇବା ଭଳି ଆଶଙ୍କା କମ୍‌ ହୋଇଯାଏ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା