ଓଡ଼ିଶା ଗସ୍ତରେ ଆସି ‘ଫୋନି’ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖି ଆଉ ୧୦୦୦ କୋଟି ଟଙ୍କାର ସହାୟତା ମଞ୍ଜୁର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି….

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାୟୁସେନା ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ‘ଫୋନି’ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖି ଦେଖିଥିଲେ । ଏହାପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରାଯାଇଥିଲା । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫୋନି’ କ୍ଷୟକ୍ଷତିରେ ଓଡ଼ିଶା ପାଇଁ ଆଉ ୧୦୦୦ କୋଟି ଟଙ୍କାର ସହାୟତା ମଞ୍ଜୁର ପାଇଁ ଘୋଷଣା କରିଥିଲେ । ଏହା ପୂର୍ବରୁ ‘ଫୋନି’କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ଆଗୁଆ ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହା ସହିତ ବାତ୍ୟା ଯୋଗୁ ପ୍ରାଣ ହରାଇଥିବା ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ଯେତେ ଶୀଘ୍ର ସମ୍ଭବ ବିଦ୍ୟୁତ୍ ଓ ଜଳ ଯୋଗାଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ମୋବାଇଲ୍‌ ସେବା ଯୋଗାଇ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରି କହିଛନ୍ତି ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଅର୍ଥ, ଲୋକବଳ କିମ୍ବା ମେସିନ୍‌ର କୌଣସି ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତା’ସହିତ ‘ଫୋନି’କୁ ଦୃଷ୍ଟିରେ ରଖି ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ‘ଫୋନି’ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖି ଦେଖୁଥିବା ସମୟରେ ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର