ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୱାଗନ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିଥିବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ବାସୀଙ୍କ ତରଫରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ ଅନ୍ୟ ବିକାଶ କାମକୁ ତ୍ୱରାନ୍ୱିତ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନି ବୈଷ୍ଣବ ଗତମାସ ୧୯ ତାରିଖରେ ରେଳ ଯାତ୍ରା କରୁଥିବା ସମୟରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଓଡ଼ିଶା ଡେଭଲପମେଣ୍ଟ ଫୋରମର କାର୍ଯ୍ୟକର୍ତ୍ତା ସାକ୍ଷାତ କରି ବ୍ରହ୍ମପୁର ଓ ସମଗ୍ର ଦକ୍ଷିଣ ଓଡ଼ିଶାରେ ରେଳପଥର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ଏହି ଦାବିପତ୍ରରେ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁର ଷ୍ଟେସନରେ ରେଳ ଟର୍ମିନାଲର ନିର୍ମାଣ, ୧୩୦ ବର୍ଷ ପୁରୁଣା ଷ୍ଟେସନର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ-ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର – ମାଲକାନଗିରି ଓ ମାଲକାନଗିରି – ନବରଙ୍ଗପୁର ରେଳପଥର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା, ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ଓ ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ ଓ ଅନ୍ୟ ସହରକୁ ପ୍ରତିଦିନ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀରେ ଅଟକି ଯାଉଥିବା ଅନେକ ଟ୍ରେନକୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନି ବୈଷ୍ଣବଙ୍କୁ ଦାବି ପତ୍ର ଦେବା ପୂର୍ବରୁ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଗତ ତିନି ମାସ ମଧ୍ୟରେ ଦୁଇ ଥର ଦାବିପତ୍ର ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଅତି ପଛୁଆ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ବିକାଶରେ ଉପୋରକ୍ତ ଦାବି ଗୁଡ଼ିକର ମହତ୍ତ୍ଵକୁ ଦୃଦୟଙ୍ଗମ କରି କେନ୍ଦ୍ର ରେଳମନ୍ତ୍ରୀ ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେଇଥିବାରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛି । ଫୋରମର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ସନ୍ତୋଷ ସାହୁ, ସ୍ୱପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ଦିଲିପ୍ ମହାରଣା, ଶ୍ରିନୁ, ଶ୍ରୀନିବାସ ରାଓ, ମାନସ ପାତ୍ର, ବି. ଶଙ୍କର ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଷ୍ଟେସନ ମେନେଜରଙ୍କ ଜରିଆରେ ଏହି ଧନ୍ୟବାଦ ପତ୍ର ପ୍ରଦାନ କରିବା ସହ ଅନ୍ୟ ବିକାଶ କାମକୁ ତ୍ବରାନ୍ବିତ କରିବା ପାଇଁ ଧ୍ୟାନ ଆକର୍ଷଣ କରିଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଫୋରମ୍ ସଭାପତି କହିଛନ୍ତି ଅତି ପଛୁଆ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପ୍ରଚେଷ୍ଟା କରି ଆସୁଛି । ତେଣୁ ଅଟକି ରହିଥିବା ଦକ୍ଷିଣ- ପଶ୍ଚିମ ଓଡ଼ିଶାର ସବୁ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରେଳ ମନ୍ତ୍ରୀଙ୍କୁ ଆଜିର ଦାବି ପତ୍ରରେ ପୁଣି ଅନୁରୋଧ କରାଯାଇଛି ବୋଲି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍, ବ୍ରହ୍ମପୁର, ସଭାପତି, ରାମ ପ୍ରସାଦ ତ୍ରିପାଠୀ ଜଣାଇଛନ୍ତି ।
ରିପୋଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା