ଭୁବନେଶ୍ୱର (ସମୃଦ୍ଧ ଓଡିଶା) – ଅର୍ଥ ଉପାର୍ଜନ ପାଇଁ ହିନ୍ଦୀ ଚଳଚ୍ଚିତ୍ର ‘ଅଶୋକ’ ଜରିଆରେ ଓଡିଶାର ଇତିହାସକୁ ବିକୃତ କରିବା ସହିତ ସମଗ୍ର ବିଶ୍ୱରେ ଓଡିଆ ଜାତିକୁ ଅପମାନିତ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାଁଙ୍କୁ ଓଡିଶା ମାଟିରେ କଳିଙ୍ଗସେନା ପକ୍ଷରୁ ବିରୋଧ କରାଯିବ । ବିଶ୍ୱକପ୍ ହକି ଉଦ୍ଘାଟନରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିବା ସମୟରେ ତାଙ୍କୁ ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।ଶ୍ରୀ ରଥ କହିଛନ୍ତି ଯେ ୨୦୦୧ ମସିହାରେ ପ୍ରଦର୍ଶିତ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଅଶୋକ’ କଳିଙ୍ଗଯୁଦ୍ଧର ବିଷୟବସ୍ତୁ ଉପରେ ପ୍ରସ୍ତୁତ ହୋଇଥିଲା । ଏଥିରେ ମୁଖ୍ୟ ଚରିତ୍ରରେ ଶାହାରୁଖ ଖାନ୍ ଅଭିନୟ କରିଥିଲେ । ସେତେବେଳ ଓଡିଶା ସରକାର କିମ୍ବା ଓଡିଶାର କୌଣସି ବୁଦ୍ଧିଜୀବୀଙ୍କ ମତାମତ ନିଆନଯାଇ ଇତିହାସକୁ ଅତ୍ୟନ୍ତ କଦର୍ଥ କରାଯାଇଥିଲା । ଚଳଚ୍ଚିତ୍ରରେ ଓଡିଆ ବୀରମାନଙ୍କୁ ଅତି ହୀନ ଭାବେ ପ୍ରଦର୍ଶିତ କରାଯାଇଥିଲା । କାହାଣୀରେ କାରୁବାକୀଙ୍କର କୌଣସି ଭୂମିକା ନଥିବାବେଳେ ଓଡିଆଯୁବତୀ କାରୁବାକୀକୁ କିନ୍ତୁ ଚଳଚ୍ଚିତ୍ରରେ ଦୁଶ୍ଚରିତ୍ରା ବୋଲି ଦର୍ଶାଯାଇଥିଲା । ଓଡିଆ ନାରୀ ଜାତିର ସମ୍ମାନ ଓ ଚରିତ୍ରକୁ ନିଲାମ କରି କୋଟି କୋଟି ଟଙ୍କା ରୋଜଗାର କରିବା ସହିତ ସମଗ୍ର ଓଡିଆ ନାରୀଜାତିକୁ ବିଶ୍ୱ ଦରବାରରେ ନିନ୍ଦିତ କରିଥିଲେ । ଏହି ଚଳଚ୍ଚିତକୁ ଖୋଦ୍ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ୍ ଓ ଅଭିନେତ୍ରୀ ଜୁହି ଚାୱାଲା ନିର୍ମାଣ କରିଥିଲେ । ଓଡିଆ ଜାତିର ଅଶ୍ମିତା ଉପରେ ଅଶୋକ ଚଳଚ୍ଚିତ୍ର ମାଧ୍ୟମରେ କଠୋର ପ୍ରହାର କରିବା କୌଣସି ଅଧିକାର ଖାନ୍ ଦମ୍ପତିଙ୍କର ନାହିଁ । ସେତେବେଳେ କଳିଙ୍ଗସେନା ଏହାକୁ ଦୃଢ ବିରୋଧ କରି ଓଡିଶାରେ ଅଶୋକ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ । ହେଲେ ପରବର୍ତୀ ସମୟରେ ଦେଶବିଦେଶରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବା ଦ୍ୱାରା ଓଡିଶାର ଇତିହାସ, କଳା ଏବଂ ସଂସ୍କୃତି ଉପରେ ଏକ କଳା ଦାଗ ଲଗାଇ ଦେଇଥିଲେ ଖାନ୍ ଦମ୍ପତି । ଦଳର କଡା ବିରୋଧ ସେତେବେଳେ ଆଲୋଡନ ସୃଷ୍ଟି କରିଥିବାବେଳେ ରାଜ୍ୟରେ ବିଜେଡି ସରକାର କ୍ଷମତାରେ ଥିଲା । ହେଲେ ଏଭଳି ଘଟଣା ପାଇଁ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଶାହାରୁଖ, କରିନା କପୁର କିମ୍ବା ପ୍ରସ୍ତୁତକାରୀ ଅଥବା ନିର୍ଦ୍ଦେଶକ କେହି ଓଡିଶାବାସୀଙ୍କ ନିକଟରେ ନିଃସର୍ତ କ୍ଷମାପ୍ରାର୍ଥନା କରିନଥିଲେ । ଏହା ଥିଲା ଓଡିଆଙ୍କ ପ୍ରତି ଅପମାନ ଓ ରାଜ୍ୟର ଇତିହାସ ଉପରେ ଆକ୍ରମଣ । ୧୮ ବର୍ଷ ତଳେ ଓଡିଆ ଜାତିକୁ ଯେଉଁ ଶାହାରୁଖ୍ ଯେଉଁ କ୍ଷତାକ୍ତ କରିଥିଲେ ତାହା କେବେ ଓଡିଆ ଜାତି ଓ କଳିଙ୍ଗ ସେନା ଭୁଲି ପାରିବ ନାହିଁ । ତେଣୁ ଏଭଳି ଜଣେ ବେପାରୀ ଅଭିନେତାଙ୍କୁ ଓଡିଶାରେ ପୂରାଇ ଦିଆଯିବ ନାହିଁ ବୋଲି ଶ୍ରୀ ରଥ କହିଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ସବୁ ଜାଣିଶୁଣି ଶାହାରୁଖ ଖାନ୍ଙ୍କୁ ହକି ମ୍ୟାଚ୍ ପାଇଁ ଆମନ୍ତ୍ରଣ କରିଛନ୍ତି । ଓଡିଶା ଓ ଓଡିଆ ଜାତିକୁ ଅପମାନିତ କରିଥିବା ଏହି ଅଭିନେତାଙ୍କ ବଦଳରେ ଅନ୍ୟ କୌଣସି ଜଣାଶୁଣା ଅଭିନେତାଙ୍କୁ ଅଣାଯାଇ ପାରିଥାନ୍ତା । ଶାହାରୁଖଙ୍କୁ ଓଡିଶାକୁ ଆଣି ସରକାର କି ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ରଥ ପ୍ରଶ୍ନ କରିଛନ୍ତି । ତେଣୁ କୌଣସି ସ୍ଥିତିରେ ଗୋଟିଏ ଜାତିକୁ ଅପମାନ ଦେଇଥିବା ଏହି ଅଭିନେତାଙ୍କୁ ଓଡିଶା ମାଟିରେ ପୂରାଇ ଦିଆଯିବନାହିଁ ବୋଲି ସେ କହିବା ସହିତ କଳିଙ୍ଗସେନା ସବୁସ୍ତରରେ କଡାବିରୋଧ କରିବବୋଲି ଆଜି ଭୁବନେଶ୍ୱର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ନିହାର ପାଣି, ଜଗବନ୍ଧୁ ମହାନ୍ତ, ଗୌରାଙ୍ଗ ପ୍ରଧାନ, ଯଦୁମଣି ମହାନ୍ତ,ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ସମ୍ପାଦିକା ଶୁଭଶ୍ରୀ ପତି, ଆନ୍ଦୋଳନ କମିଟି ଅଧ୍ୟକ୍ଷ ବିଜୟ ରାଜ୍, ଶିବାଶିଷ ଦାଶ, ହୃଷିକେଶ ସେନାପତି, ଅବ୍ବୁଲ୍ କୟୁମ୍ ଖାନ୍, ଅଜୟ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର