

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ପ୍ରଥମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଁଞ୍ଚି ଥିଲେ । ସେଠାରେ ବିଭିନ୍ନ କୋଠା ଘରର ଶୁଭ ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଠାରେ ଚିଦାନନ୍ଦ ଦିବ୍ୟ ଧାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରି ସନ୍ଥ ନିବାସ, ଡିଭାଇନ ହୋମ ଓ ଚିଦାନନ୍ଦ ହୋମର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ଛତ୍ରପୁର ବ୍ଲକର ଅଗସ୍ତିନୂଆଗାଁ ଅନ୍ତର୍ଗତ ଦଶ ଏକର ପରିମିତ ସ୍ଥାନରେ ୨୦୧୬ ଠାରୁ ଚିଦାନନ୍ଦ ଦିବ୍ୟଧାମ ଅନୁଷ୍ଠାନ ହୋଇଅଛି । ଏଠାରେ ସନ୍ଥନିବାସ, ଚିଦାନନ୍ଦ ଦିବ୍ୟଧାମହୋମ ଓ ଡିଭାଇନ ହୋମକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହସ୍ତରେ ଉଦଘାଟିତ କରିଛନ୍ତି ଏବଂ ଆୟୋଜିତ ଜନସମାବେସକୁ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଭାରତ ଏକ ଦେଶ ନୁହେଁ ଭଗବତ ସତ୍ତାର ଜୀବନ୍ତ ପ୍ରତିକ ହେଉଛି ଭାରତ ବର୍ଷ । ମାନବ ସେବା ହିଁ ଶ୍ରେଷ୍ଠ ସେବା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସେବା କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ସଂସ୍କୃତି ହେଉଛି ଅନୁପମ ପୁଷ୍ପ ଅଟେ । ପୃଥିବୀରୁ ପୂର୍ବ ଓ ପଶ୍ଚିମ ଶେଷ ହୋଇ ବିଶ୍ୱ ଏକ ମାନବ ସମାଜ ହେବ । ଭାରତର ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ଓ ଶିକ୍ଷା ଏବଂ ମା ଭଉଣୀମାନଙ୍କୁ ସୁରକ୍ଷା ଦେବାର ଆମର ଲକ୍ଷ୍ୟ ହେବା ଦରକାର । ଏପରି ପରିବେଶରେ ମାନବ ସେବା ଓ ଆଧ୍ୟାତ୍ମିକ ବିକାଶ, ଗୋସେବା କାର୍ଯ୍ୟକ୍ରମ ଚାଲିଥିବାରୁ ଏହାର ପ୍ରତିଷ୍ଠାତା ଓ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାସହ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହାର ଉନ୍ନତୀ ପାଇଁ ଯଥା ସମ୍ଭବ ସହଯୋଗ କରିବେ ବୋଲି କହିଥିଲେ । ଏହି ଅବସରରେ ଗୋପଳକୃଷ୍ଣ ପାତ୍ର ଓ ଡଃ.କେଦାରନାଥ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। । ଏହି ଦିବ୍ୟଧାମରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରହିବା ବ୍ୟବସ୍ଥା ସହ ଅଖଣ୍ଡ ନାମ ଯଜ୍ଞ ଓ ଗୋ ମାତା ସେବା କରାଯାଉଛି । ଏପରି ଏକ ଶାନ୍ତ ପରିବେଶରେ ଏହା ପ୍ରତିଷ୍ଠା କରାଯାଇଥିବା ଯୋଗୁଁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଶ୍ରୀ ସ୍ୱାମୀ ବ୍ରହ୍ମସାକ୍ଷାତକାରାନନ୍ଦ ସରସ୍ୱତୀ ଆର୍ଶୀବଚନ ପ୍ରଦାନ କରିବାସହ ଆଧ୍ୟାତ୍ମିକ ଚେତନାରେ ସମସ୍ତେ ଲିନ ହେବାକୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟି କେ.ଶ୍ରୀଧର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫୁଲ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଦିବ୍ୟଧାମର ସଭାପତି ତଥା ପ୍ରତିଷ୍ଠାତା ବିପ୍ରଚରଣ ପାତ୍ର ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମହାମହିମା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଇନ୍ଦିରା ଅଧିକାରୀ ଗୋପିନାଥ ମହାରଣା, ରାଜେଶ ପାତ୍ର, ପତିତପାବନ କରଣ, ରଶ୍ମିରଂଜନ ସାମନ୍ତରାୟ, ଜଗନ୍ନାଥ ଆଚାର୍ଯ୍ୟ, ଶାନ୍ତିଭୂଷଣ ପଣ୍ଡା, ବିଭିନ୍ନ ପ୍ରାନ୍ତର ଦିବ୍ୟଜୀବନ ସଂଘ ଶାଖାର କର୍ମକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








