

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା କର୍ମଚାରୀ ମହାମଞ୍ଚ ବିଶାଳ ପଟୁଆର ଓ ବିକ୍ଷୋଭ ସମାବେଶ କରି ଆଚରଣ ବିଧି ଲାଗୁ ପୂର୍ବରୁ ଆଉଟସୋର୍ସିଂ, ଠିକା ଓ ଡ଼ିଏଲଆର ତଥା କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ସମାଧାନ କର, ନଚେତ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଗର୍ଜି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ସରକାରଙ୍କୁ । ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁ ପ୍ରକାରର ସରକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ରାଜ୍ୟର ତୃଣମୂଳ ସଚିବାଳୟ ପର୍ଯ୍ୟନ୍ତ ଆଉଟସୋର୍ସିଙ୍ଗ ଓ ଠିକାରେ ନିଯୁକ୍ତ କର୍ମଚାରୀମାନେ ଦିନ ରାତିକୁ ଏକ କରି ପରିଶ୍ରମ କରି ସରକାରଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରୁଛନ୍ତି । ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ଥିବାବେଳେ ଗତ ୧୫ ବର୍ଷ ଧରି ପାରମ୍ପାରିକ କାର୍ଯ୍ୟ ପରେ ବି ସୃଷ୍ଟି କରାଯାଇଥିବା ଏକାଧିକ ଯୋଜନାକୁ ହାତ ଗଣତି କେତେଟା ପ୍ରାପ୍ୟକୁ ନେଇ କେତେ ଦିନ ଧରି ଏହି ବର୍ଗର କର୍ମଚାରୀ ପେଟଭୋକକୁ ପେଟରେ ମାରି ଜୀବନ ଯାତ୍ରାରେ ସଂଘର୍ଷ କରିବେ, ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅନୁନୟ ବିନୟ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ନିଜର ହକ ଓ ଦାବି ଉପସ୍ଥାପନ କଲେ ସାମାନ୍ୟ ନ୍ୟାୟ ମିଳୁନି ।ସରକାରଙ୍କ ମୌଖିକ ଓ ଲିଖିତ ପ୍ରତିଶ୍ରୁତି ନିଷ୍ଠୁର ପ୍ରତାରଣାରେ ପରିଣତ ହୋଇଛି । ସତେ ଯେମିତି ଏହି ବର୍ଗର କର୍ମଚାରୀ ମାନେ ଏ ଦେଶ ବା ରାଜ୍ୟର ନାଗରିକ ନୁହଁନ୍ତି । ଭୋଟ କାଙ୍ଗାଳ ସରକାର, କ୍ଷମତାକୁ ଫେରିବା ପାଇଁ ଅଯଥା ଓ ଅନାବଶ୍ୟକ ମାଗଣା ଯୋଜନା ଓ ଦାନ ଧ୍ୟାନରେ ରାଜ୍ୟ ରାଜକୋଷକୁ ଯେଉଁଭଳି ବରଦାନ କରୁଛନ୍ତି ସେହି ରାଜକୋଷ କଣ ଏହି ବର୍ଗର କର୍ମଚାରୀଙ୍କ ଲୁହଲହୁର ଅଂଶ ବିଶେଷ ନୁହେଁ, ସେଥିରୁ ତାଙ୍କ ହକ ପାଇବା ପାଇଁ ସେମାନଙ୍କୁ କାହିଁକି ବଞ୍ଚିତ କରାଯାଉଛି ? ଆଜି କର୍ମଚାରୀ ମହାମଞ୍ଚ ପକ୍ଷରୁ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରା ରାମମନ୍ଦିର ଛକରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ଗାନ୍ଧୀମାର୍ଗ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉପସ୍ଥିତ ହଜାର ହଜାର ବିକ୍ଷୋଭକାରୀଙ୍କୁ ଉଦବୋଧନ ଦେଇ ମହାମଞ୍ଚର ରାଜ୍ୟ ଆବାହକ ତଥା ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତି କହିଲେ ଯେ ଆଉଟସୋର୍ସିଂ ଓ ଠିକା ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଚାକିରୀ ସୁରକ୍ଷା, ସମାନ କାମକୁ ସମାନ ଦରମା, କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରି ଅବସର ବୟସ ବୃଦ୍ଧି, କାର୍ଯ୍ୟକାଳ ୧ବର୍ଷକୁ ବୃଦ୍ଧି, ଟେମ୍ପୋରାରୀ ଷ୍ଟାଟସ କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ ଓ କେନ୍ଦ୍ରୀୟ ଆର୍ଥିକ ଦେୟରେ କାର୍ଯ୍ୟରତ ଏକଲବ୍ୟ ଓ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀଙ୍କୁ ଧାର୍ଯ୍ୟଦରମା ଓ ସ୍ଥାୟୀ ନିଯୁକ୍ତି, ୧୩.୪.୧୯୯୩ ମସିହା ପରଠାରୁ କାମ କରୁଥିବା ଡିଏଲଆର କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ କରିବାର ସମସ୍ତ ପ୍ରତିଶ୍ରୁତି ସତ୍ତ୍ଵେ ଦୈନିକ ନୂଆ ନୂଆ ବାହାନା କରି ସମଧାନକୁ ଟାଳି ଆସୁଛନ୍ତି ବୋଲି ଶ୍ରୀ ମହାନ୍ତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ନରହନ୍ତା, ହାଡ଼କୋର ନକ୍ସଲମାନଙ୍କୁ ମୁଖ୍ୟ ଶ୍ରୋତକୁ ଆଣିବା ପାଇଁ କୋଟି କୋଟି ଟଙ୍କାର ଯୋଜନା ସହିତ ପ୍ରୋତ୍ସାହନ ଯୋଗାଇଥିବା ବେଳେ, ଚରମ ପାରିବାରିକ, ଆର୍ଥିକ ଦୁରବସ୍ଥା ପାଇଁ ଏ ରାଜ୍ୟର ଲକ୍ଷ ଲକ୍ଷ ଉଚ୍ଚ ଶିକ୍ଷୀତ ଯୁବକ ବାଧ୍ୟ ବାଧ୍ୟକତାରେ ଏଭଳି କୁତ୍ସିତ ଶୋଷଣକାରୀ ବ୍ୟବସ୍ଥାକୁ ଗ୍ରହଣ କରିଥିଲେ ବି ସ୍ଥାୟିହୋଇ ଓ ଆର୍ଥିକ ଅଭାବ ପୂରଣର ଲକ୍ଷ ରଖିଥିଲେ . କିନ୍ତୁ ସବୁ ଆଶା ଓ ସଂଭାବନା ଧୀରେ ଧୀରେ ଭୋଟ ରାଜନୀତି ପାଇଁ ଧ୍ୱଂସ ହେବାକୁ ଲାଗିଲାଣି । ଏଠି ନ୍ୟାୟ ସଂଗତ, ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ଦାବି ଦୁବା ଓ ପ୍ରତିବାଦ ନିଷ୍ପଳ ହେଉଛି . ତାର କାରଣ ରାଜ୍ୟର ସମୁଦାୟ ଭୋଟରଙ୍କ ସଂଖ୍ୟାର ଏହି କର୍ମଚାରୀମାନେ ଦୁଇ ଶତାଂଶ ମାତ୍ର . କିନ୍ତୁ ଏକଥା ସରକାର ଭୁଲି ଯାଇଛନ୍ତି ଯେ, ଏହି ଅସହାୟ ସ୍ୱଳ୍ପ ଦରମାରେ ଦୁର୍ବିସହ ଜୀବନ ବିତାଉଥିବା ମଣିଷ ଓ ସେମାନଙ୍କ ଉପରେ ନିର୍ଭର କରୁଥିବା ପରିବାରର ସଭ୍ୟମାନଙ୍କ ଦୀର୍ଘଶ୍ଵାସ ଓ ଭୋକର ନିଆଁରେ ସରକାରଙ୍କ ସବୁ ସ୍ୱପ୍ନକୁ ଧୂଳିସାତ ହୋଇଯିବ ଓ ଏହି ବର୍ଗର କର୍ମଚାରୀଙ୍କ ପଞ୍ଜୀଭୁତ କ୍ରୋଧ ତଥା ଯିଦ ସବୁ ଗଣିତକୁ ଓଲଟାଇ ଦେବ । ଯଦି କ୍ଷେତ୍ର ବାସ୍ତବତାକୁ ସରକାର ଉପଲବ୍ଧି କରିବେ ନାହିଁ, ଉଚ୍ଚ ଶିକ୍ଷିତ ଆଉଟସୋର୍ସିଙ୍ଗ, ଠିକା/ଚୁକ୍ତିଭିତ୍ତିକ, ଡ଼ିଏଲଆର ଓ କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଆନ୍ତରିକତା ପ୍ରକାଶ କରିବେ ନାହିଁ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ନାହିଁ, ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି ଆଳରେ ଦାବି ସମାଧାନ ବଦଳରେ ନିର୍ବାଚନ ପର୍ଯ୍ୟନ୍ତ ଉଦ୍ଦେଶ୍ୟମୂଳକ ଭାବେ ସମୟ ଟାଳି ଭୁଆଁ ବୁଲେଇବାର ଅପଚେଷ୍ଟା କରିବେ, ତେବେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ ବିଭାଗ, ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟରତ ଆଉଟସୋର୍ସିଂ, ଚୁକ୍ତିଭିତ୍ତିକ ବା ଠିକା ଓ ଡେଲି ଓଏଜେସ, କେନ୍ଦୁପତ୍ର କର୍ମଚାରୀ ଓ ଏକଲବ୍ୟ ସ୍କୁଲ ଶିକ୍ଷକ ଓ କର୍ମଚାରୀମାନେ ସରକାରଙ୍କ ବିନାଶର କାରଣ ହେବେ । ଏଥିପାଇଁ ବେଳ ଥାଉ ଥାଉ ଏବେଠାରୁ ସାବଧାନ ନ ହେଲେ ୧୯୯୦ ଓ ୧୯୯୫ ମସିହାର ଇତିହାସ ପୁନରାବୃତ୍ତି ହେବ । ନ୍ୟାୟ ପାଇଁ, ହକ ପାଇଁ, ସମ୍ମାନର ସହ ବଞ୍ଚିବା ପାଇଁ ଏହି କର୍ମଚାରୀମାନେ ଯେ କୌଣସି ଉପାୟ ଅବଲମ୍ବନ କରିବେ ବୋଲି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ।ପ୍ରତିବାଦ ସଭାସ୍ଥଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ ପୂର୍ବକ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ଓଡିଶା କର୍ମଚାରୀ ମହାମଞ୍ଚର ରାଜ୍ୟ ଆବାହକ ଶ୍ରୀ ପ୍ରଭାତ ମହାନ୍ତି, ରାଜ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ଚୁକ୍ତିଭିତ୍ତିକ ସଙ୍ଘର ସଭାପତି ବିଜୟ କୁମାର ମଲ୍ଲ, ଉପସଭାପତି କ୍ଷୀତିଷ ପଣ୍ଡା, ଓଡିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ଶୁଭ୍ରଜିତ ପ୍ରତିହାରୀ, ଓଡିଶା ଏକଲବ୍ୟ ଶିକ୍ଷକ ସଙ୍ଘର ରାଜ୍ୟ ସମ୍ପାଦକ ଶିଶିର କୁମାର ସାମଲ, କୃଷିବିଜ୍ଞାନ କେନ୍ଦ୍ରର ଜୟନ୍ତ ପତି, କେନ୍ଦୁପତ୍ର ନେତା ଚିତ୍ରସେନ ବଗର୍ତ୍ତୀ, ନାରାୟଣ ସାହୁ, ଶ୍ୟାମଳୀ ପଟ୍ଟନାୟକ, ପ୍ରକାଶ ବେଦାନ୍ତ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗୌତମ ମହାରଣ୍ୟ, ସ୍ନେହାଶିଷ ମିଶ୍ର, ସମ୍ବିତ ଦାସ, ଅରୁଣଧୋତି ମିଶ୍ର, ଦେବ ସାହୁ, ପ୍ରତାପ କୁମାର ମିଶ୍ର, ରାଜୀବ କୁମାର ହାତି, ରଶ୍ମିରଂଜନ ପାଢ଼ୀ, ଶ୍ରୀକାନ୍ତ ମିଶ୍ର, ପ୍ରଦ୍ୟୁମ୍ନ ବେହେରା, ରଜତ ରଞ୍ଜନ ରାଉତ, ଗୁରୁପ୍ରସାଦ ଶତପଥୀ, ଶ୍ରୀଧର ଭଟ୍ଟ, ଶ୍ରୀନିବାସ ସେଠି ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଓ ବହୁ କର୍ମଚାରୀମାନେ ଅଂଶ ଗ୍ରହଣ କରିଛନ୍ତି । ଶେଷରେ ଅର୍ଥମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ଏହାପରେ ରାଜ୍ୟର ହଜାର ହଜାର ଠିକା ଓ ଆଉଟସୋର୍ସିଂ କର୍ମଚାରୀ ଧାରଣାକୁ ଶେଷ କରିଥିଲେ । ଏହାସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦାବି ସଂପର୍କରେ ନିଷ୍ପତ୍ତି ଲାଗି ସରକାର ପ୍ରତିଶୃତି ଦେବା ପରେ ଓଡ଼ିଶା କର୍ମଚାରୀ ମହାମଞ୍ଚର ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି । ଏ ନେଇ ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି ସୂଚନା ଦେଇଛନ୍ତି ।
ରିପୋର୍ଟ : ବିଜୟ ମାଲ୍ଲା










Please sir
Jadi sarkar amaku cheat kariba ame sarkar badalei debu. Mind it.