ଓଡିଶା ମୁହାଁ ହେଉଛି ଫନି:ତିତିଲି ଠାରୁ ଭୟଙ୍କର ହେବ ଫନି…

ଛତ୍ରପୁର (ସମୃଦ୍ଧ ଓଡିଶା) ଫାଇଲିନ୍, ହୁଡ଼ହୁଡ଼୍ ଓ ତିତଲୀ ପରେ ଏବେ ମେ ମାସରେ ଫନି ଗଞ୍ଜାମ ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି । ବର୍ତମାନ ଫାନୀ ଓଡ଼ିଶା ମୁହାଁ ହେଉଥିବାରୁ ଜିଲ୍ଲାବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ପୂର୍ବରୁ ୧୯୯୯ ମହାବାତ୍ୟା ସମେତ ତିନି ତିନିଟି ବାତ୍ୟାର ମୁକାବିଲା କରିଛି ଓଡ଼ିଶା ଏବଂ ବିଶେଷ କରି ଗଞ୍ଜାମ ଜିଲ୍ଲା ।  ତେଣୁ ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଏଦିଗରେ ଯଥେଷ୍ଠ ଅଭିଜ୍ଞତା ହାସଲ କରିଛନ୍ତି । ବର୍ତମାନ ଫନି ପାଇଁ ଏନ୍ଡ଼ିଏମ୍ଏ ପକ୍ଷରୁ ସତର୍କତା ଜାରି କରାଯିବା ପରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ନିଜକୁ ପ୍ରସ୍ତୁତ ରଖିଥିବା ଜଣାପଡ଼ିଛି । ଆସନ୍ତା ୨ ରୁ ବର୍ଷା ଆରମ୍ଭ ହେବ । ମଇ ୩ ରେ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହି ଝଡ଼ ଓଡ଼ିଶାର ବାଲେଶ୍ୱର-ଭଦ୍ରକ ମଧ୍ୟବର୍ତି ସ୍ଥାନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ ସଠିକ୍ ଗତିପଥ ସଂପର୍କରେ ଏବେସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ସୋମବାର ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତିଯେ ଗଞ୍ଜାମ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟ ଜାରି ହୋଇଛି । ୧ ତାରିଖରୁ ଉପକୂଳ ଅଂଚଳରେ ମାଇକ୍ ପ୍ରଚାର କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବ । ପାହାଡ଼ିଆ ଅଂଚଳ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ଗତ ତିତଲୀ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ଜନଜୀବନ ହାନୀ ଘଟିଥିଲା । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବେ ପ୍ରସ୍ତୁତି କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ପାହାଡ଼ିଆ ଅଂଚଳରେ ସ୍ଥାନାନ୍ତର ପାଇଁ ନୋଡ଼ାଲ୍ ଅଫିସର୍ଙ୍କୁ ପଠାଯିବ । ଜିଲ୍ଲାରେ ୭୭ ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଠାକୁ ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ପାଇଁ ଖାଇବା ପାଇଁ ଖାଦ୍ୟ,ପାନୀୟ ଜଳ ବ୍ୟବସ୍ଥା କରାଯିବ । ୧ ତାରିଖରୁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ସ୍ଥିତି ପରଖିବା ପରେ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ୩୦୦ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଚିହ୍ନଟ କରାଯାଇ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଆସନ୍ନ ପ୍ରସବାଙ୍କୁ ତୁରନ୍ତ ଚିହ୍ନଟ କରି ୧ ତାରିଖରୁ ନିକଟସ୍ଥ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବ । ଅଙ୍ଗନବାଡ଼ି ଓ ଆଶାକର୍ମୀ ଗର୍ଭବତୀଙ୍କୁ ଡ଼ାକ୍ତରଖାନାକୁ ନେବାପାଇଁ ବ୍ୟବସ୍ଥା କରିବେ । ଏନଡ଼ିଆରଏଫ୍ ଓ ଓଡ଼ିଆରଏଫ୍ ଟିମ୍ ସଜାଗ ରହିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ ବିଭାଗଙ୍କୁ ଗଛ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ହୋଇଛି । ଜିରୋ କାଜୁଆଲଟି ଲକ୍ଷରେ ପ୍ରାକ୍ ପ୍ରସ୍ତୁତି କରାଯିବ । ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସରକାରୀ ସ୍କୁଲର ପ୍ରଧାନଶିକ୍ଷକ,ଇନଚାର୍ଜ ହେଡ଼କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟ୍ରଙ୍ଗରୁମରେ ଗଚ୍ଛିତ ଥିବା ଇଭିଏମ୍ ସୁରକ୍ଷିତ ରଖିବାକୁ ସମସ୍ତ ପଦକ୍ଷେପ ନିଆଯିବ । ସାଧାରଣତଃ ମେ ମାସରେ ଓଡ଼ିଶାରେ ବାତ୍ୟା ଆଶଙ୍କା ନଥାଏ । ଏହାପୂର୍ବରୁ ୧୯୮୯,୧୯୮୨,୧୯୧୭,୧୯୧୪ ଓ ୧୮୯୩ ରେ ମେ ମାସରେ ବାତ୍ୟା ହୋଇଥିବା ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ,ଜରୁରୀକାଳୀନ ଡ଼େପୁଟି କଲେକ୍ଟର ଅଜିତ୍ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା