ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କ ପାଇଁ ୧୯୭୧ ମସିହାର ନିଯୁକ୍ତି ନିୟମାବଳୀ ଆଧାରରେ ଏକ କ୍ୟାଡର ରୁଲ ପ୍ରଣୟନ ହୋଇ ନଥିବାରୁ ଉକ୍ତ ସେବାର ଅଧିକାରୀମାନେ ଚାକିରୀ କ୍ଷେତ୍ରରେ ବହୁ ଭାବେ ଉପେକ୍ଷିତ ହେଉଥିଲେ । ସେଥିପାଇଁ କ୍ୟାଡର ପୁନର୍ଗଠନ ଓ କ୍ୟାଡର ରୁଲ ପ୍ରଣୟନ ପାଇଁ ଦିର୍ଘ ଦିନ ଧରି ଦାବି କରି ଆସୁଥିଲେ ଓ ଗତ ୧୯ ରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମେମୋରାଣ୍ଡମ ପ୍ରଦାନ ସଙ୍ଗେ ସଙ୍ଗେ କ୍ୟାଡର ରୁଲ ପ୍ରଣୟନ ନହେଲେ ଆସନ୍ତା ନଭେମ୍ବର ୨୬ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶିକ୍ଷା ସେବା ଅଧିକାରୀମାନଙ୍କର ଏହି ନ୍ୟାର୍ଯ୍ୟ ଦାବି ପ୍ରତି ସହୃଦୟତାର ସହ ବିଚାର କରି ଗତକାଲି ମୁଖ୍ୟ ଶାସନ ସଚିବ ତାଙ୍କ ଅଧ୍ୟକ୍ଷରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଶିକ୍ଷା ସେବା ଅଧିକାରୀଙ୍କ କ୍ୟାଡର ପୁନର୍ଗଠନ ଓ କ୍ୟାଡର ରୁଲ ପ୍ରଣୟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ସଂଘର କର୍ମକର୍ତ୍ତାଙ୍କୁ ଡାକି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଵିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବହୁ ପ୍ରତିକ୍ଷୀତ କ୍ୟାଡର ରୁଲ ଆସନ୍ତା ଏକ ମାସ ଅର୍ଥାତ ନବ ବର୍ଷ ପୂର୍ବରୁ ପ୍ରଣୟନ ହେବାର ପ୍ରତିଶୃତି ଦେଇଥିବାରୁ ଓଡିଶା ଶିକ୍ଷା ସେବା ସଂଘ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥ ବିଭଗ, ଶାସନ ସଚିବ ବିଦ୍ୟାଳୟ, ଗଣ ଶିକ୍ଷା ବିଭାଗ ଆଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ଆସନ୍ତା ୨୬ ତାରିଖରୁ ପ୍ରସ୍ତାବିତ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖି ସମସ୍ତ ଶିକ୍ଷା ସେବା ଅଧିକାରୀମାନେ କାର୍ଯ୍ୟ କରିବା ପାଇଁ ସଂଘର ସଭାପତି ପ୍ରଦୀପ କୁମାର ନାୟକ ଓ ସାଧାରଣ ସମ୍ପାଦକ ଡ. ସନାତନ ପଣ୍ଡା ଅନୁରୋଧ କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା