ଓଡିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା) ଅଧିକାରୀଙ୍କ କ୍ୟାଡର ପୁନର୍ଗଠନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା) ଅଧିକାରୀମାନଙ୍କର କ୍ୟାଡର ପୁନର୍ଗଠନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିବାରୁ ଏହି ଅଧିକାରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ବିଦ୍ୟାଳୟ ଶିକ୍ଷା ପ୍ରଶାସନରେ ଯୁବ ପ୍ରତିଭାମାନଙ୍କୁ ସାମିଲ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୧୯୭୧ ମସିହାରେ ଓଡିଶା ଶିକ୍ଷା ସେବା ନିଯୁକ୍ତି ନିୟମ ପ୍ରଣୟନ ହୋଇ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଶିକ୍ଷା ସେବା ଅଧିକାରୀମାନେ ନିଯୁକ୍ତି ହୋଇ ଆସୁଥିଲେ । ମାତ୍ର ଇତି ମଧ୍ୟରେ ପ୍ରାୟ ୫୦ ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ଏହି ଅଧିକାରୀମାନଙ୍କ ନିମିତ୍ତ ଏକ କ୍ୟାଡର ରୁଲ ପ୍ରଣୟନ ହୋଇ ନଥିବାରୁ ଅଧିକାରୀମାନେ ଚିକିରି କ୍ଷେତ୍ରରେ ପଦୋନ୍ନତୀରୁ ବଞ୍ଚିତ ହେଉଥିଲେ ।ଏଥିପାଇଁ ଏହି ଅଧିକାରୀମାନେ ଦୀର୍ଘ ବର୍ଷ ଧରି ଦାବି କରିବା ସଙ୍ଗେ ସଙ୍ଗେ ଗତ ନଭେମ୍ବର ୨୬ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତି ନେଇଥିଲେ । ସମ୍ପ୍ରତ୍ତି ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରସାର ତଥା ବିଭିନ୍ନ ଯୋଜନା ମାଧ୍ୟମରେ ଯଥା ଶିକ୍ଷା ଅଧିକାର, ସମଗ୍ର ଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ ପରିଚାଳନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଓଡିଶା ମୁକ୍ତ ବିଦ୍ୟାଳୟ, ଧନ୍ଦାମୂଳକ ଶିକ୍ଷା ଓ ସର୍ବୋପରି ଉଚ୍ଚ ମାଧ୍ୟମିକ ଶିକ୍ଷା ଆଦି ବିଦ୍ୟାଳୟ ଶାଖା ପରିସର ଭୁକ୍ତ ହେବା ଦ୍ୱାରା ଏହି ଅଧିକାରୀମାନଙ୍କ କାର୍ଯ୍ୟ ଭାର ବହୁ ଗୁଣିତ ହୋଇଅଛି । ସରକାର ଶିକ୍ଷା ସେବା ଅଧିକାରୀ ମାନଙ୍କର ଏହି ଯୁକ୍ତି ଯୁକ୍ତ ଦାବିକୁ ହୃଦୟଙ୍ଗମ କରି ଏହି ଅଧିକାରୀମାନଙ୍କ କ୍ୟାଡର ସଂଖ୍ୟା ୬୩୬ ରୁ ୧୦୧୫କୁ ବୃଦ୍ଧି କରିଛନ୍ତି । ଏହି ପୁନର୍ଗଠନ ଫଳରେ ସମ୍ପ୍ରତି ପ୍ରତି ବ୍ଲକରେ ଜଣେ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟାର ବରିଷ୍ଠ ଗୋଷ୍ଠୀ ଶିକ୍ଷା ସେବା ଅଧିକାରୀ ବ୍ଲକର ପ୍ରାଥମିକ ଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟ ପରିଦର୍ଶନ କରି ପାରିବେ । ଏଥିସହ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦବୀକୁ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟା(ସୁପର ଟାଇମ)କୁ ଉନ୍ନତି କରାଯାଇ ଜିଲ୍ଲାର ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ମନିଟରିଂ କରିବାର ବ୍ୟବସ୍ଥା କରାଯାଇଅଛି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଅଭିଯାନର ତଦାରଖ କରିବା ପାଇଁ ଆଉ ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପଦବୀ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏହି ପଦବୀକୁ ବରିଷ୍ଠ (ପ୍ରଥମ ଶ୍ରେଣୀ) ପାହ୍ୟାକୁ ଉନ୍ନୀତ କରାଯାଇ ଅଛି । ଏଥି ସହିତ ଶିକ୍ଷା ସେବା ଅଧିକାରୀମାନଙ୍କ ନିମିତ୍ତ ଅତିରିକ୍ତ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ପଦୋନ୍ନତୀର ସୁଯୋଗ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ଏହି ଅଧିକାରୀମାନଙ୍କ ପାଇଁ ଏକ ଯୁଗ୍ମ ସଚିବ ପଦ ସୃଷ୍ଟି କରାଯାଇଅଛି । ଏହି ପୁନର୍ଗଠନ ଦ୍ୱାରା ବିଦ୍ୟାଳୟ ଶିକ୍ଷା ସେବା ଅଧିକାରୀମାନଙ୍କ ପଦୋନ୍ନତି ହେବା ସଙ୍ଗେ ସଙ୍ଗେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷା ପ୍ରଶାସନରେ ଅଧିକ ସଂଖ୍ୟାରେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହେବ । ଏଥି ସହିତ ତଦାରଖ ବ୍ୟବସ୍ଥା ସୁଦୃଢ ଓ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ଲକ୍ଷ୍ୟ ରଖାଯାଇଅଛି । ସରକାରଙ୍କ ଏହି ପଦକ୍ଷେପ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଓଡିଶା ଶିକ୍ଷା ସେବା ସଂଘର ସଭାପତି ପ୍ରଦୀପ କୁମାର ନାୟକ ଓ ସାଧାରଣ ସମ୍ପାଦକ ଡକ୍ଟର ସନାତନ ପଣ୍ଡା କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା