ଓଡିଶା ସରକାର ଠକ.. ସଙ୍ଗୀନ ଅଭିଯୋଗ ସ୍ଲୋଗାନରେ ନଗର କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଏମସି ସମ୍ମୁଖରେ ନଗର କଂଗ୍ରେସ ପକ୍ଷରୁ ଗତ ଗୁରୁବାର ଦିନ ବିଜେଡି ଶାସନରେ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ ହୋଇଥିବା ଏବଂ ମୁଖ୍ୟମନ୍ତ୍ରୀ ବହୁବାର ଯେଉଁ ସବୁ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସେହି କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରି ନ ଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରୁ ନେତା ଓ କର୍ମୀମାନେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏହାପରେ ରାସ୍ତା ପରିକ୍ରମା କରି ବ୍ରହ୍ମପୁରବାସୀଙ୍କୁ ସରକାର ଠକିଥିବା ସଙ୍ଗୀନ ଅଭିଯୋଗ କରି ସ୍ଲୋଗାନ ଦେଇଥିଲେ । ସହରାଞ୍ଚଳର ସମସ୍ୟାର ସମାଧାନ ଦାବି କରି କିଛି ସମୟ ପର୍ଯ୍ୟନ୍ତ ନିଗମ କାର୍ଯ୍ୟାଳୟ ଘେରାଉ ମଧ୍ୟ କରାଯାଇଥିଲା । ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ଜେନା ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ ହୋଇ କହିଥିଲେ ଅସମ୍ପୂର୍ଣ୍ଣ ଜାନିବିଲ ଜଳ ଯୋଗାଣ ପ୍ରକଳ୍ପ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହାର ୮ ମାସ ବିତି ଯାଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିନାହିଁ । ସବୁ ଘରକୁ ଜାନିବିଲ ପାଣି ଯୋଗାଣ ନାଁରେ ସମ୍ପୃକ୍ତ ଠିକା ସଂସ୍ଥା ମହାନଗର ସାରା ଖୋଳି ରାସ୍ତା ଗୁଡିକ କଦର୍ଯ୍ୟ କରିଦେଇଛି । ଫଳରେ ଯାନବାହାନ ଓ ଲୋକଙ୍କ ଯାତାୟାତ ବିପଦଜନକ ଅବସ୍ଥାରେ ରହିଛି । ବର୍ଷା ଋତୁରେ ମଧ୍ୟ ସହରରେ ପାଣି ଜମି ହୋଇ ବାସିନ୍ଦାଙ୍କୁ ଅଧିକ କଲବଳ କରୁଛି । ସବୁ ସାହି ବସ୍ତିରେ କୁଢ଼ କୁଢ଼ ମାଟି ରହିଥିବା ଯୋଗୁଁ ଛୋଟ ବଡ ଦୁର୍ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଅପରପକ୍ଷରେ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ କହୁଛନ୍ତି । କିନ୍ତୁ ନିର୍ବାଚନ ପରେ ସେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇ ମହାନଗରବାସୀଙ୍କୁ ଭୁଆଁ ବୁଲାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାସହ ମହାନଗରରେ ଇତିମଧ୍ୟରେ ହୋଇଥିବା କେତେକ ସଡକ ଓ ଡ୍ରେନ ନିର୍ମାଣ ନିମ୍ନମାନର ହୋଇଛି ବୋଲି ଅଭିଯୋଗ କରିଛନ୍ତି । ସହର ଦୁଇ ପାର୍ଶ୍ୱରେ ଥିବା ବାହାନାଳ ଓ ସାପୁଆ ନାଳ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ବର୍ଷା ହେବା ମାତ୍ରେ ନାଳ ପାଣି ନିଷ୍କାସନ ହୋଇ ନ ପାରି ବିଭିନ୍ନ ସାହି ଓ ଘର ଗୁଡିକରେ ପଶି ସମସ୍ୟା ସୃଷ୍ଟି କରୁଛି । ଏହି ସବୁ ସମସ୍ୟାର ସମାଧାନ ତୁରନ୍ତ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଏମସି କମିଶନରଙ୍କୁ ଦିଆଯାଇଥିଲା । କମିଶନର ବିକ୍ଷୋଭ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ । ଏହାପରେ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ନଗର କଂଗ୍ରେସ ପକ୍ଷରୁ ବୃହତ ଆନ୍ଦୋଳନ କରାଯିବ ଚେତାବନୀ ଦିଆଯାଇଥିଲା ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା