ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରୁ ଅସାମ୍ବିଧାନିକ ଚୁକ୍ତିଭିତ୍ତିକ ପ୍ରଥାର ମୁଳୋତ୍ପାଟନ ନିମନ୍ତେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଜୋରଦାର ଦାବି କରାଯାଇଛି । ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ଆସି ସରକାରୀ ଅନୁଦାନ ପଦବୀରେ କାମ କରୁଥିବା ହଜାର ହଜାର ଉଚ୍ଚଶିକ୍ଷିତ ଯୁବକର୍ମଚାରୀଙ୍କୁ ରାଜ୍ୟ ସରକାର ସମାନ କାମକୁ ସମାନ ଦରମା ନ ଦେଇ କ୍ରୀତଦାସଙ୍କ ପରି ଦିନ ମଜୁରିଆଙ୍କ ଠାରୁ କମ ଦରମା ଦେବା ଏବଂ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ସର୍ବନିମ୍ନ ବେସିକ ପେ ୧୮୦୦୦ ଟଙ୍କା ପରିବର୍ତ୍ତେ ଅସାମ୍ବିଧାନିକ ଭାବେ ଏକ ସଂଶୋଧିତ ଚୁକ୍ତିଭିତ୍ତିକ ନିୟମ ମାଧ୍ଯମରେ ଷଷ୍ଠ ବେତନ କମିଶନର ମୂଳ ଦରମା ଉପରେ ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ମାତ୍ର ୮୦୦୦ ରୁ ୧୦୦୦୦ ଟଙ୍କା ମାସିକ ଦରମା ଦେବାର ଅବିଚାର ଓ ଅସଙ୍ଗତି ବିରୁଦ୍ଧରେ କର୍ମଚାରୀ ମହାସଂଘ ଘୋର ଅସନ୍ତୋଷ ପ୍ରକାଶ କରିଛି । ଓଡ଼ିଶାରେ ୨୦୧୩ରୁ ଲାଗୁ ହୋଇଥିବା ଏହି ଚୁକ୍ତିଭିତ୍ତିକ ପ୍ରଥା ଅନୁସାରେ ହଜାରହଜାର ଯୁବକର୍ମଚାରୀ ସର୍ବନିମ୍ନ ମୂଳଦରମାଠୁ କମ୍ ଏପରିକି ଦିନ ମଜୁରିଆଙ୍କ ଠାରୁ ମଧ୍ୟ କମ ବେତନରେ କ୍ରୀତଦାସ ପରି ଜୀବନଯାପନ କରୁଛନ୍ତି । ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ, ବି-ଟେକ, ଏମ-ଟେକ, ଏମ.ବି.ଏ, ଏମ.ସି.ଏ. ଡିଗ୍ରୀଧାରୀ ଉଚ୍ଚଶିକ୍ଷିତ ଯୁବକଯୁବତୀ ଏଭଳି କୁତ୍ସିତ ପ୍ରଥାର ଶିକାର ହୋଇ ଯଦି ମୁଲଠୁ କମ ଦରମା ପାଇବେ ଆମ ରାଜ୍ୟ ତଥା ସମାଜରେ ଶିକ୍ଷାର ମୂଲ୍ୟ କଣ ବୋଲି ସଂଘ ପ୍ରଶ୍ନ କରିଛି । ୨୦୧୬ ମସିହାରେ ମାନ୍ଯବର ସୁପ୍ରିମକୋର୍ଟ ସମାନ କାମକୁ ସମାନ ଦରମା ଦେବା ନିମନ୍ତେ ଆଦେଶ କରିଥିଲେ ହେଁ, ଆମ ଓଡିଶାରେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତଥାପି ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ । ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାକୁ ୨.୫୭ ହାରରେ ବୃଦ୍ଧି କରାଇଲେ । କିନ୍ତୁ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମୂଳ ଦରମାରେ ମାତ୍ର ୨୫% ବୃଦ୍ଧି କରି ସେମାନଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି । ଏହି ଅନ୍ଯାୟ ବିରୁଦ୍ଧରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବହୁବାର ରାଜରାସ୍ତାକୁ ଓହ୍ଲାଇ ଗାଣତାନ୍ତ୍ରିକ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନିକଟରେ ସ୍ୱର ଉତ୍ତୋଳନ କରିଥିଲେ । କିନ୍ତୁ ପ୍ରତିଥର ସେମାନଙ୍କୁ ସରକାର ମିଛ ପ୍ରତିଶୃତି ଦେଇ ଭୁଆଁ ବୁଲାଇ ଦେଇଥିଲେ । ପୁନଶ୍ଚ ଏଭଳି ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ ଏହି ଯୁବ କର୍ମଚାରୀମାନେ ଡିଜିଟାଲ ଆନ୍ଦୋଳନ ତଥା ଇ-ଅଭିଯୋଗ ଜରିଆରେ ସ୍ୱର ଉତ୍ତୋଳନ କଲେ। କିନ୍ତୁ ଏହା ପରେ ବି ସରକାର ନିଜ ତରଫରୁ ମୁହଁ ଖୋଲିଲେ ନାହିଁ । ବରଂ ସୋସିଆଲ ମିଡିଆରେ ଦୁଃଖ ଜଣାଇଲେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ସରକାର ଏକ ଧମକପୂର୍ଣ୍ଣ ଆଦେଶ ଜାରି କଲେ । ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ କରୋନା ଯୋଦ୍ଧା ସାଜିଥିବା ଏହି ଯୁବ କର୍ମଚାରୀମାନେ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଥିବାରୁ ଏବଂ ଭବିଷ୍ଯତରେ ସାରା ଓଡିଶାର ଶିକ୍ଷିତ ଯୁବବର୍ଗ ସରକାରୀ ଚାକିରୀ କ୍ଷେତ୍ରରେ ଆସି ଏପରି ଶୋଷଣର ଶିକାର ହେଉଥିବାରୁ ଚୁକ୍ତିଭିତ୍ତିକ ମହାସଂଘ ତରଫରୁ ଯୋରଦାର ପ୍ରତିବାଦ କରାଯାଉଛି । ଏଥି ସହ ଅନ୍ୟାନ୍ଯ କାର୍ଯ୍ଯକ୍ରମ ମାଧ୍ୟମରେ ଯୁବ ସଚେତନତା ସୃଷ୍ଟି କରାଯିବ ବୋଲି ରାଜ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ ତଥା ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରଜିତ୍ ପ୍ରତିହାରୀ, ନିରୋଦ ରଥ, ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ୍ତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଲିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ବୋଲି ସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।