ଓଡ଼ିଶା କୃଷକ ସଭା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ତିତିଲି ବାତ୍ୟାରେ ଗଞ୍ଜାମ ଜିଲ୍ଲା ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ଯାହାକିଛି ଫସଲ ଚାଷୀ ଅମଳ କରିଥିଲେ ସେଗୁଡ଼ିକୁ ହରିଲୁଟ କରାଯାଉଥିବା ବେଳେ ଘରୋଇ ବ୍ୟବସାୟୀମାନେ ଫସଲକୁ କମ୍ ଦରରେ ନେଇଯାଉଥିବା ଓଡ଼ିଶା କୃଷକ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି । ଏଥିସହ ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆନ୍ଧ୍ର ଭଳି ଓଡ଼ିଶାରେ ମଧ୍ୟ ୨୦ ହଜାର ଟଙ୍କା ଲେଖାଏଁ କ୍ଷତି ପୂରଣ ଦିଆଯିବା ସହ ଚାଷୀମାନଙ୍କର ଧାନକ୍ରୟ ପାଇଁ ସରକାରୀ ଧାନକ୍ରୟ କେନ୍ଦ୍ର ଖୋଲାଯାଉ ଓ କେରଳ ଭଳି ରାଜ୍ୟ ସରକାର ମଧ୍ୟ କୁଇଣ୍ଟାଲ ପ୍ରତି ୫୦୦ ଟଙ୍କା ବୋନସ୍ ପ୍ରଦାନ କରାଯାଉ । କର୍ଣ୍ଣାଟକ ଭଳି କୃଷିଋଣ ଛାଡ଼ କରିବା, ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସର ଚାଷୀଙ୍କୁ ପେନସନ୍ ପ୍ରଦାନ କରାଯାଉ । ଧାନ କିଣିବା ପରେ ଦୁଇଦିନ ମଧ୍ୟରେ ଚାଷୀଙ୍କୁ ଟଙ୍କା ପୈଠ କରିବା ସହ ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଉ ବୋଲି ଆଜି ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୃଷକସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି କରାଯାଇଛି । ସେହିଭଳି ଘରୋଇ କମ୍ପାନୀମାନେ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରୁ ନ ଥିବାବେଳେ ସରକାର ସେମାନଙ୍କଠାରୁ ବୀମା ଟଙ୍କା ଆଦାୟ କରିବା ପରିବର୍ତ୍ତେ ସେମାନଙ୍କୁ ପୁଣି ବୀମା ଟଙ୍କା ପ୍ରଦାନ କରୁଛନ୍ତି । ସରକାର ଓ ଘରୋଇ କମ୍ପାନୀମାନଙ୍କ ଏଭଳି ଚକ୍ରାନ୍ତକୁ ଓଡ଼ିଶା କୃଷକସଭା ପକ୍ଷରୁ ଏଠାରେ ପ୍ରତିବାଦ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର, ଓଡ଼ିଶା କୃଷକ ସଭା ଜିଲ୍ଲା କମିଟି ସଭାପତି ଗୋପାଳ ପାଣିଗ୍ରାହୀ, ସଂପାଦକ ପି.ହରିକୃଷ୍ଣ ରେଡ଼ିଙ୍କ ସମେତ ସଂପାଦକ ବସନ୍ତ ନନ୍ଦ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା