ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ ବଲମଠାରୁ କଲମ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ । ନିର୍ଭିକ ସାମ୍ବାଦିକତା ଦେଶ ସେବାର ଶ୍ରେଷ୍ଠ ନିଦର୍ଶନ ହୋଇଥିବାରୁ ଦେଶବାସୀ ଉନ୍ନତ ଓ ବିଶ୍ୱାନୀୟ ସମ୍ବାଦ ଆବଶ୍ୟକ କରନ୍ତି । ଏଥିଲାଗି ସେମାନଙ୍କ ସୁରକ୍ଷା, ଆର୍ଥୀକ ସ୍ଥିତି ପ୍ରତି ଗୁରୁତ୍ୱ ଦେବା ଉଚିତ୍ ବୋଲି ଓୟୁଡବ୍ଲୁଜେର ବାଲେଶ୍ୱର ଜିଲା ସମ୍ମିଳନୀ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଶିଷ୍ଠ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ଡାକବଂଗଳା ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ସଂପାଦକ ସତ୍ୟପ୍ରିୟ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ମହାମେଘବାହନ ଐରଖାରବେଳ ସ୍ୱାଇଁ ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ନ ରହିଲେ ଶାସନ ଲକ୍ଷ୍ୟଭ୍ରଷ୍ଟ ହେବ । ଗଣ ମାଧ୍ୟମର ଗଣତନ୍ତ୍ରପ୍ରତି କର୍ତ୍ତବ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସାମ୍ବାଦିକ ଓ ସମ୍ବାଦପତ୍ରର ନିଜସ୍ୱ ଆଭିମୁଖ୍ୟ ରହିବା ଆବଶ୍ୟକ । ତେଣୁ ଦେଶରେ କେତେକ ସମ୍ବାଦପତ୍ର ଶତବର୍ଷ ଧରି ତିଷ୍ଠି ରହିପାରୁଛନ୍ତି । ସେମାନଙ୍କର ସୁରକ୍ଷା, ସ୍ୱିକୃତି, ପେନସନ ଓ ଅନ୍ୟ କେତେକ ସୁବିଧା ସୁଯୋଗ ରହିବା ଆବଶ୍ୟକ । ଗଣତନ୍ତ୍ର ରାଷ୍ଟ୍ରରେ କେବଳ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ହେଉନାହିଁ, ବରଂ ଚାକିରିଆ, ନେତାଙ୍କୁ ମଧ୍ୟ ଶୀକାର ହେବାକୁ ପଡୁଛି । ତେଣୁ ଏଥିରେ ଗଣମାଧ୍ୟମ ପଶ୍ଚାତ୍ଧାବନ କରିବା ଉଚିତ ନୁହେବ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ ତଥା ରେବତୀର ସମ୍ପାଦିକା ସୁବାସିନୀ ଜେନା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଦେଶ ସୀମାରେ ସୈନୀକ ଭଳି ସାମ୍ବାଦିକ ମଧ୍ୟ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ । ସୁସ୍ଥ ସାମ୍ବାଦିକତା ଗଣତନ୍ତ୍ର ରାଷ୍ଟ୍ରର ଜାଗ୍ରତ ପ୍ରହରୀ । ଜଣେ ସାମ୍ବାଦିକର ଲେଖନୀ ଦ୍ୱାରା ବୈପ୍ଳବିକ ପରିବର୍ତ୍ତନ ଓ ସାମାଜିକ ପ୍ରତିଷ୍ଠା ଲାଭ କରିହୁଏ । ନିଜର ସୁଖ ସ୍ୱାଛନ୍ଦକୁ ଜଳାଞ୍ଜଳି ଦେଇ ଜଣେ ସାମ୍ବାଦିକ ସମାଜରେ କର୍ତ୍ତବ୍ୟ ସାଧନ କରୁଥିବାରୁ ସେମାନଙ୍କ ପ୍ରତି ସରକାର ସହନଶୀଳ ହେବା ଉଚିତ୍ ବୋଲି କହିଥିଲେ । ଏଥିରେ ରାଜ୍ୟ ସଭାପତି ଡ. ପୀତାବାସ ମିଶ୍ର, ସାଧାରଣ ସଂପାଦକ ତପନ ମହାରଣ୍ୟ ଶର୍ମା, ରାଜ୍ୟ ଉପସାଭପତି ଅର୍ଜୁନ ମୁଦୁଲି, ସାହିତ୍ୱିକ ଡ. ହରିଶ୍ଚନ୍ଦ୍ର ବେହେରା, ଜିଲା ସମ୍ବାଦିକା ଅପର୍ଣ୍ଣା ମହାପାତ୍ର ଓ ଜଳେଶ୍ବର ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ସଂପ୍ରାତକ ସାମ୍ବାଦିକତା, ସମ୍ବାଦପତ୍ର ଓ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ କହିଥିଲେ । ଅଭ୍ୟର୍ଥନା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଶେଷରେ ଯୁଗ୍ମ ସଂପାଦକ ଦିଲ୍ଲିପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବୀର କୁମାର ପ୍ରଧାନ, ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ସାମ୍ବୋଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା