ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସିଟିବସ୍ ପ୍ରଚଳନରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ୨୦୧୫ ମସିହାରେ ୩୨ଟି ସିଟି ବସ୍ କିଣି ତାକୁ ଏକ ଘରୋଇ ମାଲିକଙ୍କୁ ଲିଜ୍ ସୁତ୍ରରେ ଦେଇଥିଲେ । ସେତେବେଳେ ବସ୍ ଭଡ଼ାରୁ ମିଳୁଥିବା ଟଙ୍କାରେ ବ୍ରହ୍ମପୁର ସହରର ଉନ୍ନିତ କରାଯିବ ବୋଲି କୁହାଯାଇଥିବା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୁଚନା ଦିଆଯାଇଛି । କିନ୍ତୁ ଗତ ୫ ବର୍ଷ ମଧ୍ୟରେ ୩୨ ଟି ବସ୍ରୁ ପ୍ରାୟ ୬୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଆଦାୟ ହୋଇଥିବା ବେଳେ ଏହି ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହୋଇଛି ତା’ର ପ୍ରକୃତ ହିସାବ ସରକାର ଲୋକଙ୍କୁ ଜଣାଇଥିବା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା ଓ ସଭାପତି ତ୍ରିନାଥ ବେହେରା କହିଛନ୍ତି । ସେହିପରି ଗତ ୫ ବର୍ଷଧରି କିପରି ଦିନକୁ ମାତ୍ର ଶହେ ଟଙ୍କା ହିସାବରେ ଲିଜ୍ ଦିଆଯିବ, ଓ ବିନା ଟେଣ୍ଡରରେ ବସ୍ ସେବା ଚାଲିଛି ବୋଲି ଉଭୟେ ପ୍ରଶ୍ନ କରିଛନ୍ତି । ତେଣୁ ଏହର ବିଧିବଦ୍ଧ ତଦନ୍ତ କରିବାକୁ ଜିଲ୍ଲା ସଭାପତି ବେହେରା ଓ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା