


ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ବରିଷ୍ଠ କଂଗ୍ରେସନେତା ପୂର୍ବତନ ଜିଲା ପରିଷଦ ସଦସ୍ୟ ଗୁଞ୍ଜୁ ଗମାଙ୍ଗଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତକାଲି ସକାଳ ୧୧ଘଣ୍ଟା ସମୟରେ ସେ ଭୋଟ ଦେଇସାରିବା ପରେ କିଛି ସମର୍ଥକଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେଇଠାରେ ହିଁ ଟଳି ପଡ଼ିଥିଲେ । ତୁରନ୍ତ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ନେବା ପରେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ଯୁବକ ସମୟରୁ ସେ ରାଜନୀତିରେ ସକ୍ରିୟ ରହି ବିଭିନ୍ନ ସମୟରେ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲାପରିଷଦ ସଦସ୍ୟ ଭାବେ ଗତ ୫୦ ବର୍ଷ ଧରି ନିର୍ବାଚିତ ହୋଇ ଆସୁଥିଲେ ।ସେ ସ୍ବାଧୀନ ପ୍ରାଥି ଡ଼ଃ ତିରୂପତି ପାଣିଗ୍ରାହୀଙ୍କୁ ସମର୍ଥନ କରୁଥିଲେ ବୋଲି ମାତ୍ର ୫ଦିନ ପୂର୍ବରୁ ତାଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଥିଲା । ଗୁଞ୍ଜୁ ବାବୁଙ୍କ ବିୟୋଗରେ ଡ଼ଃ ତିରୁପତି ପାଣିଗ୍ରାହୀ, ରମେଶ ଚୌଧୁରୀ, ଖଗେଶ୍ୱରୀ ବେହେରା, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, କୃଷ୍ଣ କୁମାର ବେହେରା, ଜଗମୋହନ ରାଓ, ଜି.ତିରୁପତି, କେ.ରଂସ୍ୱାମୀ, କଲ୍ୟାନି ଦେବୀ ଇତ୍ୟାଦି ନେତୃତ୍ୱବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକ ଖବର ପାଇ ସ୍ୱାଧୀନ ପ୍ରାର୍ଥୀ ଡ଼ଃ ତିରୁପତି ପାଣିଗ୍ରାହୀ ତାଙ୍କ କର୍ମୀମାନଙ୍କ ସହ ସେଠାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ତାଙ୍କର ପରଲୋକରେ ଗଭୀର ଦୁଃଖ ପ୍ରକାଶ କରାଯାଇ ଶୋକସଭା ଆୟୋଜନ କରାଯାଉଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା