

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପୁଣ୍ୟତ୍ତୋୟ ଋଷିକୂଲ୍ୟା ନଦୀଘାଟ ଅଞ୍ଚଳ ଛତ୍ରପୁର ବ୍ଲକ୍ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଧିନ ହଂସପୁର ଠାରେ ଅବସ୍ଥିତ କଂସାରୀଗଣ୍ଡ । ଏହି କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଇ ଏକ ବୃହତ୍ତମ ଜଳ ପ୍ରକଳ୍ପର ନିର୍ମାଣ କରାଯିବା ନେଇ ବହୁ ଦିନ ଧରି ଗଞ୍ଜାମବାସୀଙ୍କ ସ୍ୱପ୍ନ ଥିଲା । ଏହି ପ୍ରକଳ୍ପ ହେଲେ ଗଞ୍ଜାମବାସୀଙ୍କର ବୃହତ୍ତର ଜଳ ସମସ୍ୟା ଦୂର ହେବ । ଦକ୍ଷିଣ ଓଡ଼ିଶାର ବୃହତ୍ତମ ମହାନଗର ବ୍ରହ୍ମପୁର ସହରରେ ପାନୀୟଜଳ ସମସ୍ୟାର ସମାଧାନ ହେବାର ଆଶା ରହିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ମହଲରେ ଦୃଢ଼ତାର ସହ ଦାବୀ ହୋଇ ଆସିଥିଲେ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୌଣସି ପଦକ୍ଷେପ ନିଆଯାଇ ନଥିବା ଏବଂ ସରକାରଙ୍କର ବୈମାତୃକ ମନୋଭାବ ଓ ଅବହେଳା ପ୍ରଦର୍ଶନ ହୋଇଆସିଛି । ଏନେଇ ଶୁକ୍ରବାର ଭିଡିଓ କନଫରେନ୍ସି ଜରିଆରେ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ଆଲୋଚନା କରାଯାଇ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କର ଉପସ୍ଥିତରେ ସ୍ଥାନୀୟ ଜନପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ସ୍ଥାନୀୟ ଜନପ୍ରତିନିଧିମାନେ ୫ଟି ସଚିବଙ୍କୁ ଅନୁରୋଧ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହି ବ୍ୟାରେଜ ନିର୍ମାଣ ହେଲେ ଗଞ୍ଜାମ ଓ ଛତ୍ରପୁର ବ୍ଲକରେ କୃଷିର ଉନ୍ନତି କଳ୍ପେ ଜଳସେଚନର ସୁବିଧା ହେବା ସହ ପାନୀୟଜଳ ସମସ୍ୟା ଦୂର ହେବ ବୋଲି କୁହାଯାଇଛି । ଏଥିଲାଗି ପୂର୍ବରୁ ୨୪୦ କୋଟି ଟଙ୍କାର ଏକ ପ୍ରସ୍ତାବ ଜଳସେଚନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିବା ଜଣାପଡ଼ିଛି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଆଗ୍ରାହ୍ୟ ସ୍ୱୀକାର କରିଛନ୍ତି । ବହୁ ଦିନର ଆଶା ସଫଳ ଓ ସାକାର ହେବ ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା ସମସ୍ତଙ୍କ ସହ ସମିଳିତ ଭାବେ ଖୁସିବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

