ଛତ୍ରପୁର (ସମୃଦ୍ଧ ଓଡିଶା) ଅଲିଭ ରିଡ୍ଲେଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲିଭ ରିଡ୍ଲେ କଇଁଛଙ୍କ ଋଷିକୂଲ୍ୟା ମୁହାଣରେ ଗଣ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷା ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଜିଲ୍ଲା ପୋଲିସ ବିଭାଗ, ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ଏମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି କୁହାଯାଇଛି । ଏଥିରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କର ସହଯୋଗକୁ ଅଗ୍ରାଧିକାର ଦିଆଯିବ । ଋଷିକୂଲ୍ୟା ମୁହାଣରେ ୨୦ କିଲୋମିଟର ଦୀର୍ଘ ସମୁଦ୍ର ମଧ୍ୟରେରେ ମାଛ ମାରିବାକୁ ନିଷେଦ୍ଧ କରାଯାଉଛି । ଗ୍ରାସିମ କମ୍ପାନୀ ଏବଂ ଗୋପାଳପୁର ବନ୍ଦର ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ସମୁଦ୍ର ମଧ୍ୟକୁ ଉଜ୍ୱଳ ଆଲୋକ ବିତରଣରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଏପିରିକି ଗଣ ଅଣ୍ଡାଦାନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀମାନଙ୍କର ୨୦୦ ଜଣିଆ ଦଳ ଗଠନ କରାଯାଉଛି । ୧୧ ଗୋଟି ବିଭିନ୍ନ ସ୍ଥାନରେ ଅଲିଭ ରିଡଲେଙ୍କର ଅଣ୍ଡାକୁ ନେଇ ଶିଶୁ ଶାବକ ଜନ୍ମ ହେବା ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ରଖିବାକୁ ବ୍ୟବସ୍ଥା କରାଯାଇଛି । ପ୍ରଥମ କରି ବାହୁଦା ନଦୀ ମୁହାଣରେ କଇଁଛ ଅଣ୍ଡାଦାନକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ବୈଠକରେ ସ୍ଥିର କରାଯାଇଛି । କଇଁଛଙ୍କ ସହିତ ସେଲଫି ଉଠାଇବା କିମ୍ବା ସେମାନଙ୍କୁ ସ୍ପର୍ଶ କରିବା ସଂପୂର୍ଣ୍ଣ ନିଷେଦ୍ଧ କରାଯାଇଛି । ଏହା ଉଲ୍ଲଘଂନ କଲେ ସଂପୃକ୍ତି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅଲିଭ ରିଡଲେ ବିରଳ ପ୍ରଜାତିର କଇଁଛ ବିଶ୍ୱର ସାତଗୋଟି ସ୍ଥାନରେ ଏମାନେ ଅଣ୍ଡାଦାନ କରିଥାନ୍ତି । ସେଥିମଧ୍ୟରୁ ଓଡିଶାର ତିନୋଟି ସ୍ଥାନ ଅନ୍ତର୍ଭୁକ୍ତ । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଗତବର୍ଷ ୪ ଲକ୍ଷ ୮୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ । ଚଳିତବର୍ଷ ଏହା ବୃଦ୍ଧି ହେବାର ଆଶା କରାଯାଉଛି । ଜିଲ୍ଲାରେ ୫୨ କିଲୋମିଟର ବେଳାଭୂମି ମଧ୍ୟରୁ ଋଷିକୂଲ୍ୟା ମୁହାଣର ପାଂଚଞ୍ଚ କିଲୋମିଟର କଇଁଛ ଅଣ୍ଡାଦେବା ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ । ଏଠାରେ ମାଛ ମାରିବାକୁ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କର ଡଙ୍ଗା ଓ ଜାଲକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଚାରିଗୋଟି ନିୟନ୍ତ୍ରଣ ଦକ୍ଷ କାର୍ଯ୍ୟକ୍ଷମ ରହିବେ । ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସଂଯୋଗ କରାଯିବ । ପର୍ଯ୍ୟଟନମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ । ସେମାନଙ୍କ ପାଇଁ ବିଶ୍ରାମ ସ୍ଥଳ ସହ ଗାଡି ପାର୍କିଂ ସ୍ଥଳ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଗାଇଡ୍ ଭାବରେ ନିଯୁକ୍ତି କରାଯିବ । ଏହି ଅବସରରେ ସମୁଦ୍ର କୂଳରୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରାଙ୍କ ସମେତ ଜଙ୍ଗଲ ବିଭାଗ, ସାଉଥ୍ କୋ, ଗ୍ରାସିମ, ଆଇଆରଇ କମ୍ପାନୀର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ, ଗ୍ରାମବାସୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା