ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବିଛିନ୍ନାଞ୍ଚଳ ଭାବେ ପରିଚିତ ଆଦିବାସୀ ଅଧ୍ୟୁସିତ ରାଇବଣିଆର କବାଟଘାଟିଠାରେ ଥିବା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚବିଦ୍ୟାଳରେ କେତେକ ଅନୀୟମିତତା ସଂପର୍କରେ ଅଭିଯୋଗ ହୋଇଛି । ଫଳରେ ଅଭିଭାବକମାନେ ଏ ସଂପର୍କରେ ସ୍ଥାନୀୟ ପ୍ରଶାସନଠାରୁ ରାଜ୍ୟ ପ୍ରଶାସନ ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରେ ଅଭିଯୋଗ କରିଛନ୍ତି । କବାଟଘାଟୀଠାରେ ଦୀର୍ଘ ୬୩ବର୍ଷ ଧରି ଏହି ବିଦ୍ୟାଳୟ ଆଦିବାସୀ ଛାତ୍ରୟଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେଇ ଆସୁଥିବା ବେଳେ ୨୦୧୭-୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀମାନଙ୍କୁ ସାଇକେଲ୍ ପ୍ରଦାନ ଯୋଜନା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି । ଫଳରେ ୨୦୧୯ ମସିହାରେ ମ୍ୟାଟ୍ରିକ ପାସ୍କରି ବିଦ୍ୟାଳୟ ଛାଡିଥିବା ୬୪ଜଣ ଛାତ୍ରଛାତ୍ରୀ ଅଦ୍ୟାବଧି ସାଇକେଲ ଦିଆଯାଇନଥିବା ଏପରିକି ଜୋତା ଓ ପୋଷାକ ଦିଆଯାଇନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ୨୦୧୩-୧୪ ମସିହାରେ ଆଇଟିଡିଏ ନିଳଗିରି ଦ୍ୱାରା ୧୨୬୨୦୦୦ ଟଙ୍କାରେ ସେଠାରେ ୨୦୦ ଛାତ୍ରୀଙ୍କର ରହିବାପାଇଁ ଏକ ହଷ୍ଟେଲ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ତତ୍କାଳୀନ ମୁଖ୍ୟ ସଚେତକ ଅନନ୍ତ ଦାସ ଓ ମାନ୍ୟବର ସାଂସଦ ଇଂ ରବୀନ୍ଦ୍ର ଜେନା ୨୦୧୬ ମସିହାରେ ଲୋକାର୍ପତ କରିଥିଲେ ମଧ୍ୟ ଅଦ୍ୟାବଧି ଜଣେହେଲେ ଛାତ୍ରୀଙ୍କୁ ରଖାଯାଇପାରୁନଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି । ଚଳିତ ଶିକ୍ଷାବର୍ଷରେ ୬୨ ଜଣ ଛାତ୍ରୀ ବିଦ୍ୟାଳୟରେ ନାମଲେଖାଇଥିଲେ ମଧ୍ୟ ସେମାନେ ଉକ୍ତ ହଷ୍ଟେଲରେ ରହିବାରୁ ବଂଚିତ ହେଉଛନ୍ତି । ଏ ସଂପର୍କରେ ବିଭାଗୀୟ ଉଦାସିନତା ସ୍ପଷ୍ଟ ବାରି ହେଉଛି । ଛାତ୍ର ଛାତ୍ରୀମାନେ ବିଭାଗ ପକ୍ଷରୁ ପାଇବାକୁ ଥିବା କେତେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଠିକ୍ଭାବେ ପାଉନଥିବାର ଅଭିଯୋଗ ମଧ୍ୟ ହୋଇଛି । ଏପରିକି ଦିଆଯାଉଥିବା ଖାଦ୍ୟ ସଂପର୍କରେ ମଧ୍ୟ କେତେକ ଅଭିଯୋଗ ହୋଇଛି । ଏ ସଂପର୍କରେ ଜଳେଶ୍ୱରର କେତେକ ସାମ୍ବାଦିକ କବାଟଘାଟୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଂକର ମିଶ୍ରଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଲେ ଏଠାରେ ୪ର୍ଥ ଶ୍ରେଣୀରୁ ୧୦ମ ଶ୍ରେଣୀଯାଏ ୩୫୭ ଜଣ ଆଦିବାସୀ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ ଜଣ ଛାତ୍ରୀ ରହିଛନ୍ତି । ୨୦୧୭-୧୮ ମସିହାରେ ତତ୍କାଳୀନ ୯ମ ଶ୍ରେଣୀରେ ପଢୁଥିବା ୬୪ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସାଇକେଲ ଯୋଜନାରେ ସାଇକେଲ ପାଇବାକୁ ଥିବାରୁ ପ୍ରତ୍ୟେକଙ୍କ ନାମରେ ୨୬୦୦ ଟଙ୍କା ସେମାନଙ୍କ ବ୍ୟାଙ୍କ ପାସ୍ବୁକ୍ରେ ଜମା ହେବା କଥା କିନ୍ତୁ ବ୍ୟାଙ୍କ ଓ ତତ୍କାଳୀନ ଜିଲାଶିକ୍ଷାଧିକାରୀ ଡ. ହୃଷିକେଶ କାଣ୍ଡିଙ୍କ ଟାଳଟୁଳ ନିତୀ ଯୋଗୁଁ ଛାତ୍ରଛାତ୍ରୀମାନେ ତାହା ଅଦ୍ୟାବଧି ପାଇବାରୁ ବଂଚିତ ହୋଇଛନ୍ତି । କିନ୍ତୁ ଏବେ ମଧ୍ୟ ତାଳହା ପାଇବା ଲାଗି ପ୍ରଚେଷ୍ଟା ଜାରି ରହିଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ସଫେଇ ଦେଇଛନ୍ତି । ଅନ୍ୟ ପକ୍ଷରେ ପୋଷାକ ଓ ଜୋତା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାସ୍ବୁକ୍ ଜରିଆରେ ୯୩୩ଟଙ୍କା ହିସାବରେ ଗତ ଜାନୁଆରୀ ମାସରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ । ବିଦ୍ୟାଳୟରେ ଶିକ୍ଷକ, ଦପ୍ତରୀ, ପିଅନ୍ ଇତ୍ୟାଦି ଅଭାବ ଥିବାରୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେବା । ପିଇବାପାଣିର ଅଭାବ ଦେଖାଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ଓ ହଷ୍ଟେଲ ପାଇଁ ରନ୍ଧାଯାଉଥିବା ସ୍ଥାନ ଖୋଲା ଓ ଅତ୍ୟନ୍ତ ଅପରିଷ୍କାର ଥିବା ଜଣାଯାଇଛି । ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ ପୋଖରୀରେ ବାସନ ଧୋଇବା ଓ ଶୌଚ କାର୍ଯ୍ୟ କରୁଥିବା ଜଣାଯାଇଛି । ଆବଶ୍ୟକ ଶୌଚାଳୟ ନ ଥିବାରୁ ପିଲାମାନେ ଖୋଲା ଆକାଶ ତଳେ ଶୌଚ ଯାଉଥିବା ଦେଖିବାକୁ ମିଳିଛି । ସ୍କୁଲ ହତା ମଧ୍ୟରେ ଏକ ପରିତ୍ୟକ୍ତ ଘର ଥିବାରୁ ତାହା କେତେବେଳେ ଭୁଷୁଡି ପଡି ଜନଜୀବନ ନଷ୍ଟ ହେବା ସେ ସଂପର୍କରେ ଅଭିଭାବକମାନେ ଅଭିଯୋଗ କରିବା ସହିତ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟର ମୁଖ୍ୟ ଫାଟକ ନିର୍ମାଣ ହୋଇନାହିଁ । ବିଦ୍ୟାଳୟର ବାଳିକା ହଷ୍ଟେଲରେ ମୁଖ୍ୟ ଫାଟକ ନ ଥିବାରୁ ସେଠାରେ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂପର୍କରେ ଅଭିଭାବକ ସୁଧିର ପାତ୍ର, ମଙ୍ଗଲୁ ପାତ୍ର, ସିଙ୍ଗରାୟ ହେମ୍ବ୍ରମ, ଅର୍ଜୁନ ହେମ୍ବମ୍ର, ଗୋବିନ୍ଦ୍ର ପାତ୍ର, ଓଲ୍ମରା ପିଏସ୍ ମେମ୍ବେର ଉଦୟ ନାଥ ମୁର୍ମୁ ଏ ସଂପର୍କରେ ଜିଲା ମଂଗଳ ଅଧିକାରୀ, ଊପଜିଲାପାଳ, ଜିଲାପାଳ, ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ କମିସନର ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା